ସରିଲା ପ୍ରଚାର, ୧୩ରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର। ଏଥିସହିତ ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ସୋମବାର ଅର୍ଥାତ୍ ଆସନ୍ତା ୧୩ ତାରିଖରେ ପଡ଼ିବ ଭୋଟ। ଓଡ଼ିଶା ସମେତ ୧୦ଟି ରାଜ୍ୟର ୯୬ଟି ଆସନରେ ହେବ ଭୋଟିଂ। ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।ସେହିପରି ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ପଡ଼ିବ ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପ୍ରଚାରର ଶେଷ ଦିନରେ ଜନମତକୁ ନିଜ ଆଡ଼କୁ କରିବା ପାଇଁ ପ୍ରାର୍ଥୀ ଜୋରଦାର ପ୍ରୟାସ କରିଛନ୍ତି। ଲୋକସଭା ଆସନରେ ମତଦାନ ସହ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ। ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ପଡିବ ଭୋଟ। ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ବିହାରର ୫, ଜାମ୍ମୁ କାଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରରେ ୧୧, ଓଡ଼ିଶାରେ ୪, ତେଲେଙ୍ଗାନାରେ ୧୭, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୮ଟି ଆସନରେ ହେବ ମତଦାନ।