ଦିନକ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ସରିବ ପ୍ରଚାର
ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ସେହିପରି ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ତାରିଖ ପାଖେଇ ଆସିଥିବା ବେଳେ ଆଜି ସରିବ ନେତାଙ୍କ ହାଇଭୋଲଟେଜ ପ୍ରଚାର। ଆସନ୍ତା ୧୩ ତାରିଖ ଦିନ ସୋମବାରରେ ପଡ଼ିବ ଭୋଟ।
ଦେଶରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏଁ ଲୋକସଭା ଆସନରେ ହେବ ମତଦାନ।
ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ଓଡ଼ିଶାର ୪ଟି ଲୋକସଭା ଆସନରେ ହେବ ନିର୍ବାଚନ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନରେ ଯାଉଥିବା ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ। ୪ଟି ଲୋକସଭା ଆସନ ପାଇଁ ୩୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ମେ’ ୧୩ ତାରିଖରେ କରିବେ। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ।