ଟୁରିଷ୍ଟ ନେତାଙ୍କ କଥାକୁ ବିଶ୍ବାସ କରନ୍ତୁନି, ଜୁନ୍ ୯ରୁ ମାଗଣା ବିଜୁଳି ମିଳିବ: ପାଣ୍ଡିଆନ
ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରି ଦିନକରେ ୩ଟି ଜନସଭାକୁ ସମ୍ବୋଧନ କରି ଶାସକ ବିଜୁ ଜନତା ଦଳକୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି। ଅନ୍ୟପଟେ ବିଜେଡିର ପୋଷ୍ଟର ବୟ କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ର ସରକାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।
ରାଉରକେଲା ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଜୁନ୍ ୯ ତାରିଖରୁ ମାଗଣା ବିଜୁଳି ମିଳିବ। ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ସେ କହିଛନ୍ତି। ଏଥିସହିତ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ।
ସେ କହିଛନ୍ତି, ବହୁତ ବଡ଼ ବଡ଼ ନେତା ଆସିବେ, ସେହି ଟୁରିଷ୍ଟ ନେତାଙ୍କ କଥାକୁ ବିଶ୍ବାସ କରନ୍ତୁନି। ମିଠା ମିଠା କଥା କହିବେ ଆଉ ପ୍ରତିଶ୍ରୁତି ପାଳନ ନକରି ଚାଲିଯିବେ। ପ୍ରତି ବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲା କେନ୍ଦ୍ର ସରକାର।। ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବା କଥା। ଓଡ଼ିଶାରେ ୮୦ ଲକ୍ଷ ଲୋକ ରୋଜଗାର ପାଇବା କଥା। ହେଲେ କିଛି ହୋଇନି ବୋଲି ପାଣ୍ଡିଆନ କହିଛନ୍ତି।।
ସେ ଆହୁରି କହିଛନ୍ତି, ୨୦୧୪ ମସିହାରେ ଯାହା କହିଥିଲେ କ୍ଷମତାକୁ ଆସିବା ପରେ ଭୁଲିଗଲେ। ୨୦୧୯ରେ ମିଛ କହିଲେ, ଅପପ୍ରଚାର କଲେ କ୍ଷମତାକୁ ଆସିଲେ, ଦରଦାମ ଉପରେ କିଛି କହିଲେନି, ତେଲ, ପେଟ୍ରୋଲ ଓ ଗ୍ଯାସ ଦର କମିନାହି। ବହୁତ ବଡ଼ ବଡ଼଼ ନେତା ଆସୁଛନ୍ତି, ନବୀନ ବାବୁଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ୩ରୁ ୪ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରିବାକୁ ଆସୁଛନ୍ତି। ହେଲେ ଓଡ଼ିଶାର ସାଢେ ୪ କୋଟି ଜନତା ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର।