ରତ୍ନ ଭଣ୍ଡାର ଚାବି କୁଆଡେ ଗଲା ? କନ୍ଧମାଳ ସଭାରୁ ପ୍ରଶ୍ନ କଲେ ମୋଦି
ଫୁଲବାଣୀ: ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ବୃଦ୍ଧ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପିଏମ୍ ମୋଦି ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରାରୁ ହିଁ ଅଭିଭାଷଣ ଆରମ୍ଭ କରିଥିଲେ। ଏଥିସହିତ ସେ ଓଡ଼ିଶାକୁ ବିକଶିତ ରାଜ୍ୟ କରିବାକୁ ଦିନ ରାତି କାମ କରିବି ବୋଲି କହିଥିଲେ ମୋଦି। ସେହିପରି ସବୁଦିନ ପାଇଁ ଓଡ଼ିଶା ଲୋକଙ୍କ ପାଖରେ ଋଣୀ ହୋଇ ରହିବି। ଓଡ଼ିଶାବାସୀଙ୍କ ସେବା କରି ଋଣ ଶୁଝିବାକୁ ଚାହୁଁଛି ବୋଲି ଅଭିଭାଷଣରେ ମୋଦି କହିଥିଲେ;।
ନରେନ୍ଦ୍ର ମୋଦି ଭାଷଣ ଆରମ୍ଭରୁ କହିଛନ୍ତି, କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି। କନ୍ଧମାଳରେ ମୋତେ ମିଳିଥିବା ଭବ୍ୟ ଆଶୀର୍ବାଦ କେବେ ଭୁଲିବିନି। ସାରା ଦେଶରେ କିଭଳି ପରିବର୍ତ୍ତନ ଆସୁଛି ତାହାର ଉଦାହରଣ ଆଜି ଦେଖି ପାରୁଛି ବୋଲି କହିଥିଲେ। ଏହି ଅବସରରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନିଙ୍କୁ ସମ୍ମାନୀତ କଲେ ପ୍ରଧାନମନ୍ତ୍ରୀ। ମୋଦି ପଦ୍ମଶ୍ରୀଙ୍କ ପାଦ ଛୁଇଁଲା ବେଳେ ମନା କଲେ ପୂର୍ଣ୍ଣମାସୀ ଜାନି। ଯାହାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏଥିସହିତ ଜଗନ୍ନାଥ ମିନ୍ଦର ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପିଏମ୍ ମୋଦି। ସେ କହିଛନ୍ତି, ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ଏ ସରକାର ସମ୍ଭାଳି ପାରୁନି। ଚାବି କୁଆଡେ ଗଲା, କାହା ପାଖକୁ ଗଲା ତାହା ଜାଣିବା ସମସ୍ତଙ୍କର ଅଧିକାର ଅଛି ବୋଲି କହିଛନ୍ତି। ସେହିପରି ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି ତାହାଲେ କାହିଁକି ତିଆରି ହୋଇଥିଲା । ଡୁପ୍ଲିକେଟ ଚାବିରେ କେହି ରତ୍ନ ଭଣ୍ଡାର ଖୋଲି ରତ୍ନ ନେଉନଥିଲା ତ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ଏଥିସହିତ ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ।
ସେହିପରି କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ୨୦୧୪, ୨୦୧୯ ନିର୍ବାଚନର ପୁରୁଣା ସ୍କ୍ରିଫ୍ ପଢ଼ୁଛନ୍ତି ତାଙ୍କ ରାଜକୁମାର। କଂଗ୍ରେସ ଶାସନ କାଳରେ ଯାହା ବି କରିଛି ତାକୁ ଜନସାଧାରଣ କେବେ ବି କ୍ଷମା କରିବେନି। ବିରୋଧୀ ମନେ ରଖନ୍ତୁ ଏଥର ନିର୍ବାଚନରେ ଏନ୍ଡିଏ ୪୦୦ ଟପିବ। ଏଥର ପୂର୍ବ ରେକର୍ଡ ଭାଙ୍ଗିବ ଏନ୍ଡିଏ। କଂଗ୍ରେସର ଆସନ ସଂଖ୍ୟା ୫୦ ତଳକୁ ଯିବ ବୋଲି କହିଛନ୍ତି ମୋଦି।