ଦୁର୍ଘଟଣାରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ

ନବରଙ୍ଗପୁର: ସାରା ଦେଶ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଥିବା ବେଳେ ଓଡ଼ିଶାବାସୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ। ଆସନ୍ତା ୧୩ ତାରିଖରେ ପଡ଼ିବ ଭୋଟ। ଏଥିପାଇଁ ଆଜିଠୁ ବନ୍ଦ ହୋଇଛି ପ୍ରଚାର। ଅନ୍ୟପଟେ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ କର୍ମଚାରୀ। ଏଥିସହିତ ଏକ ଦୁଃଖଦ ଖବର ନବରଙ୍ଗପୁରରୁ ଆସିଛି। ବାଇକ୍ ଧକ୍କାରେ ଚାଲିଗଲା ଜଣେ ପୋଲିଂ କର୍ମଚାରୀଙ୍କ ଜୀବନ।
ମୃତକ ଜଣକ ହେଲେ ଅଲେଖ ଅନ୍ଧାରୀ। ସେ ପଞ୍ଚମ ପୋଲିଂ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ଖବର ମୁତାବକ, ଉମରକୋଟରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ହୋଇଥିବା ନିର୍ବାଚନୀ ବୁଥ୍ରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ସେ ବୁଥ୍କୁ ଯିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ସେହିପରି ଆଜି ଅପରାହ୍ନରେ ବ୍ରହ୍ମପୁରରେ ଏକ ବସ୍ ଦୁର୍ଘଟଣା ହୋଇଥିଲା। ଯେଉଁଥିରୋ ପୋଲିଂ ପାର୍ଟି ଅଫିସର ମାନେ ବୁଥ୍ ଅଭିମୁଖେ ଯାଉଥିଲେ। ୨ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଆଉ ସମସ୍ତେ ସୁରକ୍ଷିତ ଥିଲେ।