ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀକୁ ବିଜେଡିର କଟାକ୍ଷ
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳୁ ସୁରୁଖୁରରେ ମତଦାନ ଚାଲିଛି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ବିଜୁ ଜନତା ଦଳ ଉପରେ ବର୍ଷିଛି। ଅନ୍ୟପଟେ ବିଜେପିର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଓଡ଼ିଶା ବିଜେପିକୁ କଟାକ୍ଷ କରିଛନ୍ତି ବିଜୁ ଜନତା ଦଳର ଶୀର୍ଷ ନେତୃତ୍ବ। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି।
ବିଜେପିର ସାମ୍ବାଦିକ ସମ୍ମିଳନୀ ୯ଟାରେ ଆରମ୍ଭ ହେବ ବୋଲି ସୂଚନା ଥିଲା। ହେଲେ କୌଣସି କାରଣରୁ ବିଜେପିର ସାମ୍ବାଦିକ ସମ୍ମିଳନୀ ୧୦ଟାରେ ଆରମ୍ଭ ହୋଇଥିଲା। ଏହାକୁ ନେଇ କଟାକ୍ଷ କରିଛନ୍ତି ବିିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସେ ଏକ୍ସରେ ଟ୍ବିଟ୍ କରି କହିଛନ୍ତିି, ଆଜି ସକାଳ ୯ଟା ବେଳେ ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି।
ସେହିପରି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡିଶା ବିଜେପିର ସାମ୍ବାଦିକ ସମ୍ମିଳନୀ ସକାଳ ୯ଟାରେ ଆରମ୍ଭ ହେବାର ଥିଲା। ଏପରିକି ୨୦୨୪ ଓଡିଶା ନିର୍ବାଚନ ପାଇଁ କିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ, ଘୋଷଣା ପାଇଁ ୟୁଟ୍ୟୁବ୍ ଲାଇଭ୍ ଲିଙ୍କ ମଧ୍ୟ ସମସ୍ତଙ୍କୁ ଦିଆଯାଇଥିଲା। ହେଲେ ଏହାପରେ ହଠାତ୍ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ଆରମ୍ଭ ହୋଇଯାଇଥିଲା।ଯେଉଁଥିପାଇଁ ଓଡିଶା ବିଜେପିର ସାମ୍ବାଦିକ ସମ୍ମିଳନୀ ସକାଳ ୯ଟାରେ ଆରମ୍ଭ ହୋଇପାରିଲା ନାହିଁ।ଏଯାଏଁ ବିଳମ୍ବିତ ହୋଇଚାଲିଛି। ଓଡ଼ିଶା ବିଜେପିର ଏହା ବଡ ଦୁଃଖଦ ସ୍ଥିତି।