ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଦେଲେ ଏତଲା

ଉମରକୋଟ: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ଲମ୍ବା ଲାଇନ୍ ଲଗାଇ ଜନତା ଭୋଟ ଦେବାକୁ ଯାଉଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ମତଦାନ ସୁରୁଖୁରରେ ଚାଲୁଥିବା ବାରମ୍ବାର ବାରମ୍ବାର କହୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନରସିଂହ ଭତ୍ରା ଝରିଗାଁ ଥାନାରେ ଏତଲା ଦେଇଛନ୍ତି।
ଦେଉଳକଣା ଗାଁର ବୁଥ୍ ନମ୍ବର ୨୦୪ରେ ବୁଥ୍ କ୍ୟାପଚରିଂ ହେଉଥିବା ଖବର ପାଇଁ ବୁଥ୍କୁ ଯାଇଥିଲେ ନରସିଂହ। ସେଠାରେ ହଠାତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ନରସିଂହ। ସେହି ସମୟରେ ଦୁର୍ବୃତ୍ତମାନେ ବିଜୁ ଜନତା ଦଳ ଜିନ୍ଦାବାଦ କହି ତାଙ୍କ ବିଧାନସଭା ପ୍ରାର୍ଥୀ ପରିଚୟ ପତ୍ର ଓ ସେ ପିନ୍ଧିଥିବା ସୁନା ଚେନ୍କୁ ଟାଣି ନେଇଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଲାତ, ଗୋଇଠା ଓ ବିଧା ମାରି ତଳେ ପକାଇ ତାଙ୍କ ବେକକୁ ଚିପି ଜୀବନରେ ମାରି ଦେବା ପାଇଁ ପ୍ରୟାସ କରିଥିଲେ ବୋଲି ଏତଲା ଦେଇଛନ୍ତି ନରସିଂହ ଭତ୍ରା।