ଭୋଟ୍ ଦେଉଛି ଓଡ଼ିଶା; ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଏଲ୍ ବ୍ୟୁରୋ: ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ ଆରମ୍ଭ ହୋଇଛି। ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।
ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ। #GeneralElections2024 pic.twitter.com/sTQjWRS2Id
— Naveen Patnaik (@Naveen_Odisha) May 13, 2024
ତେବେ ଆଜି ସକାଳ ୯ଟା ସୁଦ୍ଧା ଗଜପତିରେ ୧୦.୨୦%, ଗଞ୍ଜାମରେ ୬.୮୧%, କଳାହାଣ୍ଡିରେ ୯.୦୬%, କୋରାପୁଟରେ ୧୩.୧୪%, ମାଲକାନଗିରିରେ ୯.୧୫%, ନବରଙ୍ଗପୁରରେ ୮.୯୭%, ନୂଆପଡ଼ାରେ ୯.୯୮%, ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି। ୪ଟି ଲୋକସଭା ଆସନ ପାଇଁ ୩୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ହେଉଛି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି।