Odisha Link
Bridging the Missing Links in Odisha

ଓଡ଼ିଶାର ନିର୍ମାଣ ପାଇଁ ମୁଁ ରାଜମିସ୍ତ୍ରୀ ହେବାକୁ ପ୍ରସ୍ତୁତ: ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳୁ ସୁରୁଖୁରରେ ମତଦାନ ଚାଲିଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ବିଜୁ ଜନତା ଦଳ ଉପରେ ବର୍ଷିଛି। ରାଜ୍ୟ ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବିଜେପି ଅଧ୍ୟକ୍ଷ ମନମୋହନ ସାମଲ, ରାଷ୍ଠ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅଦ୍ଭୁତପୂର୍ଣ୍ଣ ପରିବର୍ତ୍ତନ ଆଡକୁ ଯାଉଛି ଓଡ଼ିଶା। ପ୍ରଧାନମନ୍ତ୍ରୀ ନିକଟରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ପରିଣତ କରିବାକୁ ଆହ୍ମାନ ଦେଇଛନ୍ତି। ୨୫ ବର୍ଷ ଶାସନ ପରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ସେ ସ୍ଥାନକୁ ଯାଇନି । କମ ସଂଶାଧନ ଥିବା ରାଜ୍ୟ ଓଡ଼ିଶା ଠାରୁ ବେଶ ଆଗରେ। କଂଗ୍ରେସକୁ ଦଶନ୍ଧି ଦଶନ୍ଧି ଧରି ସୁଯୋଗ ଦେଲେ, ବିଜେଡିକୁ ୨୫ ବର୍ଷ ସୁଯୋଗ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ। ଓଡ଼ିଶାକୁ ୧ ନମ୍ବର କରି ଦେଖାଇବୁ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ବିଜେଡିକୁ ହଜମ ହେଲାନି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଇଲେ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେହିପରି ସେ ଆହୁରି କହିଛନ୍ତି, ୫ ବର୍ଷ ସରକାରରେ ୩ ମାସ ପୂର୍ବରୁ ଦୂଷିତ ପିଇବା ପାଣି କାରଣରୁ ହଇଜା ହେଉଛି। ଜଳସେଚନର ଘୋର ଅଭାବ ଦେଖିବାକୁ ମିଳିଛି। ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ। ମହିଳା ନିର୍ଯାତନାରେ ଚିନ୍ତାଜନକ ରିପୋର୍ଟ ଆସୁଛି। ଓଡ଼ିଶାର ଏକ ତୃତୀୟାଂଶ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ହିଁ ଅଧିକ ଲୋକ ଗୁଜୁରାଟ ଯାଇଛନ୍ତି।ଆଉ ୧୨ ବର୍ଷ ପରେ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। ହେଲେ ଏବେ ଆମ ଅସ୍ମିତା ବିପଦରେ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସେ ଆହୁରି କହିଛନ୍ତି, ଓଡ଼ିଆ ଚଳନିରେ ଆମେ ପରମ୍ପରାରେ ବିଶ୍ୱାସ କରୁ।ଯେଉଁମାନଙ୍କ ହାତରେ ଶାସନ ଭାର ରହିଛି ସେମାନଙ୍କୁ ଲକ୍ଷ୍ୟ କରି ଧର୍ମେନ୍ଦ୍ର କହିଛନ୍ତି, ମାଙ୍କଡ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେଲା ପ୍ରାଣ।ତେଣୁ ଓଡ଼ିଶାକୁ ଏ ପରିସ୍ଥିତିରୁ ବାହାରକୁ ଆଣିବାକୁ ପଡିବ। ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପାଳୁଥିବ ସେତେବେଳେ ନ ଅଙ୍କ ଦୁର୍ଭିକ୍ଷ ସ୍ଥିତି ଆଡକୁ ଯିବା ନା ଏକ ନମ୍ବର ରାଜ୍ୟ ହେବା ତାହା ଓଡ଼ିଶାବାସୀ ସ୍ଥିର କରିବେ।୨୫ ବର୍ଷ ସରକାର ରହିବା ପରେ ଓଡ଼ିଶା ଲୋକ କାହିଁକି କାମ ପାଇଁ ବାହାରକୁ ଯାଉଛନ୍ତି।କଂଗ୍ରେସ ଯେମିତି ବିଭିନ୍ନ ରାଜ୍ୟରେ ନିଶ୍ଚିହ୍ନ ହୋଇସାରିଲାଣି, ଠିକ୍ ସେହିଭଳି ଅବସ୍ଥା ଓଡ଼ିଶାରେ ବିଜେଡିର ହେବାକୁ ଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀ ଆରମ୍ଭରୁ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଗୃହ ବିଭାଗ ଥିଲା। ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ଢିଲା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ ଦିଅନ୍ତୁ ବୋଲି ପ୍ରତାପ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଯାଇଛି। ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଛି ବୋଲି ବିଜେଡି ଅଭିଯୋଗ କରୁଛି। ବିକାଶକୁ ନୁହେଁ ବିକାଶର ତରିକାକୁ ବିରୋଧ କରାଯାଇଥିଲା ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସେହିପରି ସେ ଆହୁରି କହିଛନ୍ତି, ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଖର୍ଚ୍ଚ କରିଥିଲେ। ଦକ୍ଷିଣ ଭାରତର ଏକ ସଂସ୍ଥାକୁ ଡିପିଆର ପ୍ରସ୍ତୁତି ପାଇଁ ଦିଆଯାଇଥିଲା। ଦକ୍ଷିଣ ଭାରତର ଆର୍କିଟେକଚରାଲ ସଂସ୍ଥା ‘ଭୂମିପୂତ୍ର’ର ଅଭିଜ୍ଞତା ନଥାଇ କିଭଳି କାର୍ଯ୍ୟ କରିବାକୁ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ସେ ଆହୁରି କହିଛନ୍ତି, ପ୍ରଥମେ ଡିପିଆର କାହିଁକି ଭୁଲ ହେଲା ଓ ବଦଳା ଗଲା କାହିଁକି? ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗା ଗଲା କେବେ ତିଆରି ହେବ। ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ ବୋଲି ଅପରାଜିତା କହିଛନ୍ତି।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ବର୍ତ୍ତମାନର ରାଜ୍ୟ ସରକାର ଆଉଟ ସୋର୍ସରେ ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି। କେବଳ ଜଣଙ୍କୁ ତାଙ୍କ ସହିତ ଦେଖିବାକୁ ମିଳୁଛି। ତାଙ୍କୁ ଏକପ୍ରକାର ବନ୍ଦୀ କରାଯାଇଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି, ନବୀନ ବାବୁଙ୍କ ଅବସ୍ଥା ଦେଖି ବେଶି ବାଧୁଛି। ଆମ ପରିବାର ସହ ତାଙ୍କର ବହୁ ପୁରୁଣା ସମ୍ପର୍କ ରହିଛି। ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏଭଳି ନଥିଲେ। ନବୀନ ବାବୁ କ୍ୟାପଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ବିପଦରେ। ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ତାଙ୍କର ନୁହେଁ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।

Leave A Reply

Your email address will not be published.