ସ୍ୱାଭିମାନ ଅଞ୍ଚଳରେ ଭୋଟରଙ୍କ ଲମ୍ବା ଲାଇନ, କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ

ଓଏଲ୍ ବ୍ୟୁରୋ: ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଚାଲିଛି ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ ତେଲେଙ୍ଗାନାର ମୋଟ୍ ୧୭ଟି ଆସନ ସମେତ ଉତରପ୍ରଦେଶର ୧୩ଟି , ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଓ ଝାଡ଼ଖଣ୍ଡର ୪ଟି ଲେଖାଏଁ ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ଚାଲିଛି।
ଏହି କ୍ରମରେ ଓଡ଼ିଶାର ୪ ଲୋକସଭା ଆସନ ପାଇଁ ମତ ଗ୍ରହଣ ଚାଲିଛି। ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ବାସିନ୍ଦା ଭୋଟ ଦେବା ପାଇଁ ମତଦାନ କେନ୍ଦ୍ର ସାମ୍ନାରେ ଲମ୍ବା ଲାଇନ ଲାଗିଛନ୍ତି। ଏହା ସହ ଶୃଙ୍ଖଳିତ ମତଦାନ ପ୍ରକ୍ରିୟା ଜାରି ରହିଛି। ମଧ୍ୟାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୨.୯୧ ପ୍ରତିଶତ ମତଦାନ ହୋଇଛି। ସେପଟେ କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି। କୋଟିଆ ପଂଚାୟତର ୯ଟି ବୁଥ ୫୩ ଦଶମିର ୩ ପ୍ରତିଶତ ମତଦାନ ହୋଇଛି।