Odisha Link
Bridging the Missing Links in Odisha

”ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି”

ଓଏଲ୍‌ ବ୍ୟୁରୋ: ନିର୍ବାଚନର ମହାପର୍ବରେ ପ୍ରଚାର ମୈଦାନ କମ୍ପିବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ଦଳ ନିଜର ରାଜନୈତିକ ପ୍ରଚାର ଜାରି ରଖିଛନ୍ତି। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ବରିଷ୍ଠ ନେତା ଖଣ୍ଡପଡ଼ା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ସଂତୃପ୍ତ ମିଶ୍ରଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ସମୟରେ ସେ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ କହିଛନ୍ତି। ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଖଣ୍ଡପଡାର ଉନ୍ନତି ହେବ। ୨ଟି ଶଙ୍ଖ ବାଜିଲେ ଖଣ୍ଡପଡାରେ ନବୀନ ଇଞ୍ଜିନ ଚାଲିବ। ଯାହା ବି ଦାବି ରହିଛି, ତାହା ଖୁବ୍ କମ ଦିନରେ ପୂରଣ ହେବ। ବିଭିନ୍ନ ମନ୍ଦିରର ରୂପାନ୍ତରଣ ସହ ଦକ୍ଷତା ବିକାଶ କେନ୍ଦ୍ର ଏଠାରେ ଖୋଲାଯିବ ବୋଲି କହିଛନ୍ତି ପାଣ୍ଡିଆନ।

ଖଣ୍ଡପଡ଼ାରେ ଜୟ ଜଗନ୍ନାଥ, ଜୟ ନୀଳମାଧଵ ନିଜର ଭାଷଣ ଆରମ୍ଭ କରିଥିଲେ ଭି.କେ ପାଣ୍ଡିଆନ। ଖଣ୍ଡପଡ଼ାର ପ୍ରିୟ ଭାଇ ଓ ଭଉଣୀ ମାନେ କେମିତି ଅଛନ୍ତି ବୋଲି ପଚାରିବା ସହ ଏତେ ଖରାରେ ଆସିଥିବାରୁ ଧନ୍ୟବାଦ ଦେଇଛନ୍ତି। ନୀଳମାଧଵ ମନ୍ଦିରର ଉନ୍ନତିକରଣ ଠାରୁ ଜଳ ଯୋଗାଣ ପର୍ଯ୍ୟନ୍ତ ସମସ୍ତ ଯୋଜନାକୁ ନେଇ ଲୋକଙ୍କୁ ଜଣାଇଛନ୍ତି। ଜୁନ୍‌ ୯ରେ ପୁଣି ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ମହାପ୍ରଭୁ ଓ ଆପଣଙ୍କ ଆଶୀର୍ବାଦରୁ ପୁଣି ଶପଥ ନେବେ। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଜୁଲାଇରୁ ବିଜୁଳି ମାଗଣା ଦିଆଯିବ ବୋଲି ଭି.କେ ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି।

ଏହା ସହ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ସମୟରେ ବିଜେପିର ନେତା ଆସି ବଡ ବଡ କଥା କହିବେ। ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ନିର୍ବାଚନ ପରେ ଖୋଜିଲେ ସେମାନଙ୍କୁ ପାଇବେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ସାଥୀରେ ଛିଡା ହେବେ। ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି। ସୂର୍ଯ୍ୟ ଯୋଜନାରେ ବିଜୁଳି ଦେବେ କହି ଲଣ୍ଠନ ଦେଖାଉଛନ୍ତି। ନିର୍ବାଚନ ବେଳେ ଟୁରିଷ୍ଟ ପରି ବୁଲିବାକୁ ଆସିବେ ନେତା। ସମସ୍ତଙ୍କ ପାଇଁ ନବୀନ ଗ୍ୟାରେଣ୍ଟି ଅଛି। ଏହା ସହ ଶଙ୍ଖ ଚିହ୍ନରେ ଭୋଟ ପାଇଁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ।

Leave A Reply

Your email address will not be published.