Odisha Link
Bridging the Missing Links in Odisha

ରାହୁଲଙ୍କ ଦୃଢ଼ୋକ୍ତି; ଦେଶର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରିବ କଂଗ୍ରେସ

ଓଏଲ୍‌ ବ୍ୟୁରୋ: ଦଳୀୟ ନେତାଙ୍କ ଭିଡରେ କମ୍ପୁଛି ପ୍ରଚାର ମୈଦାନ। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡ଼ିଆରେ ରାହୁଲ ଗାନ୍ଧୀ ପହଂଚି ଜନସଭାରେ ସମ୍ବୋଧନ କରିଛନ୍ତି।

ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା ମଧ୍ୟରେ ରହୁଛି। କିନ୍ତୁ ପ୍ରଥମଥର କୌଣସି ରାଜନୈତିକ ଦଳ ଦେଶକୁ କହିଛି ଯେ, ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ। ଏହି ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ବିଜେପିର ବଡ ବଡ ନେତା କହୁଛନ୍ତି, ନିର୍ବାଚନ ଜିତିଲେ ସମ୍ବିଧାନ ଚିରିକି ଫୋପାଡିଦେବେ। କିନ୍ତୁ ଦୁନିଆର କୌଣସି ଶକ୍ତି ନାହିଁ ଯେ ଏହି ସମ୍ବିଧାନରେ ହାତ ମାରିଦେବ। ଯଦି ଏହି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି।

ବିଜେପି ନେତା କହୁଛନ୍ତି, ଯଦି ଆମେ ଜିତିବୁ ସଂରକ୍ଷଣକୁ ଶେଷ କରିଦେବୁ। ପୂରା ପବ୍ଲିକ ସେକ୍ଟରକୁ ଉଦ୍ୟୋଗପତିଙ୍କୁ ବିକିଛନ୍ତି । ୨୨ ଜଣ ଉଦ୍ୟୋଗପତିଙ୍କର ୧୬ ଲକ୍ଷ କୋଟି ଋଣ ଛାଡ କରିଛନ୍ତି। ୨୪ ବର୍ଷର ମନରେଗା ଟଙ୍କା ୨୨ ଉଦ୍ୟୋଗପତିଙ୍କୁ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି ରାହୁଲ ଗାନ୍ଧି କହିଛନ୍ତି।

ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ। ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ। ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ। ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ। ବାର୍ଷିକ ୧ ଲକ୍ଷ ଟଙ୍କା ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଯିବ। କୋଟି କୋଟି ଗରିବ ପରିବାରର ମହିଳାଙ୍କୁ ଲକ୍ଷପତି କରିବୁ।

ଏହାଦ୍ୱାରା ଆମେ ଭାରତର ଆର୍ଥିକ ଇଞ୍ଜିନ ପୁଣିଥରେ ଷ୍ଟାର୍ଟ କରିବୁ । ପେଟ୍ରୋଲ ଭଳି କାମ କରିବ ଗରିବ ମହିଳାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା। ଗାଁ ଗାଁରୁ ଏହି ଇଞ୍ଜିନ ଷ୍ଟାର୍ଟ ହେବ।ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ। କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ। ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ। ଚାଷୀମାନଙ୍କ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମ୍‌ଏସ୍‌ପି ଲାଗୁ ହେବ। ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Leave A Reply

Your email address will not be published.