Odisha Link
Bridging the Missing Links in Odisha

ଖଲ୍ଲିକୋଟରେ ନିର୍ବାଚନୀ ହିଂସା: ଚାଲିଗଲା ଜଣଙ୍କ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ଭିତରେ ଗଂଜାମରେ ନିର୍ବାଚନୀ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିବା ଜଣାପଡ଼ିଥିଲା। ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଜି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାକୁ ଗଭୀର ନିନ୍ଦା କରିଛନ୍ତି।

ସୂଚନା ଅନୁସାରେ, ବୁଧବାର ରାତିରେ ବିଜେପି କର୍ମୀମାନେ ଶ୍ରୀକୃଷ୍ଣ ସରଣପୁର ଗାଁର ରାମ ପାହାନଙ୍କ ପୁଅ ଦିଲୀପ, ଜିତେନ୍ଦ୍ର, ବାପୁଜୀ ଓ ବ୍ରଜଙ୍କ ପୁଅ ଅଭିମନ୍ୟୁ ବିଜେପି ପୋଷ୍ଟର ମାରୁଥିବାବେଳେ ବିଜେଡି କର୍ମୀମାନେ ପ୍ରତିବାଦ କରିଥିଲେ। ଫଳରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଖଣ୍ଡା ଆକ୍ରମଣରେ ୪ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଦିଲୀପ ଓ ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

Leave A Reply

Your email address will not be published.