Odisha Link
Bridging the Missing Links in Odisha

ବିଜେଡି-ବିଜେପି ମିଳିମିଶି ଓଡ଼ିଶାକୁ ବରବାଦ କରୁଛନ୍ତି: ଖଡ଼ଗେ

ଭୁବନେଶ୍ବର: ନିର୍ଚାଚନ ଋତୁରେ ଓଡ଼ିଶା ଉପରେ ସମସ୍ତଙ୍କ ନଜର। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଥିବା ବେଳେ ଦ୍ବିତୀୟ ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି। ଏସବୁ ମଧ୍ୟରେ କେନ୍ଦ୍ରୀୟ ନେତାଙ୍କ ଘନ ଘଡ଼ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରୁଛି। ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଗସ୍ତରେ ଆସି ବିଜେଡି-ବିଜେପି ଉପରେ ବର୍ଷିଛନ୍ତି।

ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବିଜେଡି-ବିଜେପି ମିଶିକି କାମ କରୁଛନ୍ତି। ଯେଉଥିପାଇଁ ଓଡ଼ିଶାର କ୍ଷତି ହେଉଛି। ଓଡ଼ିଶାକୁ ବରବାଦ କରିବାରେ ବିଜେପି-ବିଜେଡିର ହାତ ଅଛି। ଓଡ଼ିଶାରେ ୪୧ ପ୍ରତିଶତ ବେକାରୀ ହାର ରହିଛି। ହେଲେ ଏଥିରେ କାହାର ନଜର ନାଇଁ। ଏତେ ବେକାରୀ ହାର ଥାଇ କିପରି ଭୋଟ ମାଗୁଛନ୍ତି ବିଜେଡି-ବିଜେପି ନେତା ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ। କିନ୍ତୁ ତାହା କରିପାରିଲେ ନାହିଁ। ଏଠାରେ ବିଜେପି-ବିଜେଡି ମିଶିକି କାମ କରୁଛନ୍ତି । ଏଠାରେ ମହଙ୍ଗା, ବେରୋଜଗାରୀ ଅଧିକ ବଢିଛି। ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଏବେ ଜଣାଶୁଣା। ଓଡ଼ିଶାର ଏହି ପରିଚୟ ଉଭୟ ବିଜେପି-ବିଜେଡି ତିଆରି କରିଛନ୍ତି। ତେଣୁ ଏହି ପରିଚୟକୁ ବଦଳାଇବାକୁ ହେଲେ ବିଜେପି-ବିଜେଡିକୁ ହଟାଇବାକୁ ପଡିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଖଡ଼ଗେ।

ଓଡ଼ିଶାରେ ଖଣିଖାଦାନରୁ ପ୍ରବଳ ମାତ୍ରାରେ ଲୁଟ୍ ହେଉଛି। ତେଣୁ ଲୋକଙ୍କୁ ଏବେ ଯେଉଁ ସୁଯୋଗ ମିଳିଛି ତାହାର ସଠିକ୍ ଉପଯୋଗ କରନ୍ତୁ। ପ୍ରଧାନମନ୍ତ୍ରୀ କହୁଛନ୍ତି, ଆମେ ୪୦୦ରୁ ଅଧିକ ଆସନରେ ଜିତିବୁ। କିନ୍ତୁ ଆଗ କୁହନ୍ତୁ, କେଉଁଠୁ ଆଣିବେ ଏତେ ଆସନ? ଓଡ଼ିଶାରେ ବିଜେଡିକୁ ଯେତିକି ଆସନ ମିଳୁଥିଲା, ତାହା ଏଥର ହେବନି। ବରଂ କଂଗ୍ରେସ ଚଳିତ ନିର୍ବାଚନରେ ଫାଇଦା ନେବ। ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟିର କଥା କହୁଛନ୍ତି, କିନ୍ତୁ ପୂର୍ବରୁ ଦେଇଥିବା କେତୋଟି ଗ୍ୟାରେଣ୍ଟି ପୂରା କରିଛନ୍ତି ତାହା କୁହନ୍ତୁ। ମୋଦିଙ୍କ ଗ୍ୟାରେଣ୍ଟି ନାମକୁ ମାତ୍ର। କଂଗ୍ରେସ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଦେଉଛି। ଲୋକଙ୍କ ପାଇଁ ଗ୍ୟାରେଣ୍ଟି ଦେଉଛି ବୋଲି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।

Leave A Reply

Your email address will not be published.