ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ସୁନିଲ ଛେତ୍ରୀ, ଜୁନ୍ ୬ରେ ଖେଳିବେ ଶେଷ ମ୍ୟାଚ୍
ଓଏଲ୍ ବ୍ୟୁରୋ: ଭାରତୀୟ ଫୁଟବଲର ଷ୍ଟାର ଖେଳାଳି ସୁନୀଲ ଛେତ୍ରିଙ୍କ ବଡ଼ ଘୋଷଣା। ଭାରତୀୟ ଫୁଟବଲ ଟିମ୍ର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ନେବେ ସନ୍ନ୍ୟାସ। ଏନେଇ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ଖୋଦ୍ ସୁନିଲ ଛେତ୍ରୀ। କୁଏତ୍ ବିପକ୍ଷ ଫିଫା ବିଶ୍ବକପ୍ କ୍ବାଲିଫାୟର ମ୍ୟାଚ୍ ଖେଳିବା ପରେ ଅନ୍ତର୍ଜାତୀୟ ଫୁଟବଲରୁ ବିଦାୟ ନେବେ ଛେତ୍ରୀ। ଏଥିସହିତ ଦୁଇ ଦଶନ୍ଧିର ଯାତ୍ରାରେ ପଡ଼ିବ ପୂର୍ଣ୍ଣଚ୍ଛେଦ।
ସୁନୀଲ ଛେତ୍ରୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଜାରି କରି ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବା କଥା ଘୋଷଣା କରିଛନ୍ତି। ସେ ଜାରି କରିଥିବା ଭିଡିଓରେ ବହୁତ ଭାବକୁ ହୋଇଥିବା ଦେଖିବାକୁ ମଧ୍ୟ ମିଳିଛି। ଭିଡିଓରେ ସେ ଭାରତ ପାଇଁ ପଦାର୍ପଣ କରିଥିବା ମ୍ୟାଚ୍ କଥା କହିଛନ୍ତି। ଏଥିସହିତ ଭିଡିଓରେ ସୁଖି ସାରଙ୍କ କଥା ମଧ୍ୟ କହିଛନ୍ତି। ଯିଏକି ସେହି ସମୟରେ ଭାରତୀୟ ଫୁଟବଲ ଦଳର କୋଚ୍ ଥିଲେ।
୩୯ ବର୍ଷିୟ ସୁନୀଲ ଛେତ୍ରୀ ଭାରତୀୟ ଫୁଟବଲର ଦଳର ସଙ୍କଟମୋଚକ ଥିଲେ। ବହୁତ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳକୁ ବିଜୟୀ କରାଇଛନ୍ତି। ଭାରତ ପାଇଁ ଛେତ୍ରୀ ୧୫୦ଟି ମ୍ୟାଚ୍ ଖେଳି ସାରିଛନ୍ତି। ଏଥିସହିତ ୯୪ଟି ଗୋଲ୍ ସ୍କୋର କରିଛନ୍ତି। ଅନ୍ତରାଷ୍ଟ୍ରୀୟ ଫୁଟବଲରେ ଛେତ୍ରୀଙ୍କ ଦବଦବା ରହିଛି।
ସୂଚନାଥାଉକି, ୨୦୦୫ ଜୁନ ୧୨ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଛେତ୍ରୀ। ଏହା ସହିତ ଭାରତ ପାଇଁ ସେ ତାଙ୍କର ପ୍ରଥମ ଗୋଲ୍ ଏହି ମ୍ୟାଚରେ ସ୍କୋର କରିଥିଲେ। ବର୍ତ୍ତମାନର ଖେଳାଳିମାନଙ୍କ ମଧ୍ୟରେ ସୁନୀଲ ସର୍ବାଧିକ ଗୋଲ ସ୍କୋରରଙ୍କ ଭିତରେ ୩ୟ ସ୍ଥାନରେ ରହିଛନ୍ତି। ପର୍ତ୍ତୁଗାଲର କିମ୍ବନ୍ଦନ୍ତୀ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନାର କିମ୍ବନ୍ଦନ୍ତୀ ଖେଳାଳି ଲିଓନେଲ୍ ମେସି ୨ୟ ସ୍ଥାନରେ ରହିଛନ୍ତି। ସେ ଭାରତର ସର୍ବକାଳୀନ ଟପ୍ ସ୍କୋରର ଖେଳାଳି ଭାବରେ ଅବସର ନେବେ।
ଭାରତୀୟ ଫୁଟବଲ ପ୍ରତି ଅବଦାନ ହେତୁ ସୁନୀଲଙ୍କୁ ୨୦୧୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୦୮ ଏଏଫସି ଚାଲେଞ୍ଜ କପ୍, ୨୦୧୧ ଏବଂ ୨୦୧୫ର ସାଫ୍ ଚାମ୍ପିଅନଶିପ୍, ୨୦୦୭, ୨୦୦୯ ଏବଂ ୨୦୧୨ରେ ଅନୁଷ୍ଠିତ ନେହେରୁ କପ୍, ୨୦୧୭ ଓ ୨୦୧୮ ଇଣ୍ଟରକଣ୍ଟିନେଣ୍ଟାଲ କପ୍ରେ ଭାରତ ଟାଇଟଲ ହାସଲ କରିଥିବାବେଳେ ସୁନୀଲ ଭାରତୀୟ ଦଳରେ ସାମିଲ ଥିଲେ।