ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି: ଜେପି ନଡ୍ଡା

ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ରାଜଧାନୀ ଭୁବନେଶ୍ବରରେ ଜେପି ନଡ୍ଡାଙ୍କ ରୋଡ୍ ଶୋ’ ହୋଇଛି।
ଏହି ସମୟରେ ନିର୍ବାଚନକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଲୋକସଭା ପାଇଁ ମୋଦି ୪୦୦ ପାର୍ ନାରା ଦେଇଛନ୍ତି। ମୋଦିଙ୍କ ନାରାକୁ ପୁରା କରିବାକୁ ଲାଗିଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ରାମ ଦେବାକୁ ଲୋକେ ସ୍ଥିର କରିସାରିଛନ୍ତି। ବିଧାନସଭା ଓ ଲୋକସଭାରେ ବିଜେପିକୁ ମିଳିବ ବହୁମତ। ଗତଥର ଅପେକ୍ଷା ଚଳିତ ଥର ଦ୍ବିଗୁଣା ଆସନ ଜିତିବୁ। ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି। ଭୁବନେଶ୍ୱରରେ ମେଗା ରୋଡ ସୋ’ କରି କିଛି ଏମିତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି। ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ । ନବୀନ ବାବୁଙ୍କୁ ଓଡ଼ିଶାର ଲୋକ ଆରାମ ଦେବାକୁ ଚାହୁଁଛନ୍ତି। ଜଣେ ସୁସ୍ଥ, ସକ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶାବାସୀ । ଯିଏ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବ। ଓଡ଼ିଶାରେ ଯେଉଁ ଅଫିସର ରାଜ ଚାଲିଛି ତାହାକୁ ଶେଷ କରିବୁ। ତେଣୁ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଞ୍ଜିନ ସରକାର ହେବ ବୋଲି ଜେପି ନଡ୍ଡା କହିଛନ୍ତି।