Odisha Link
Bridging the Missing Links in Odisha

ପୁରୀରେ ଜମିବ ପ୍ରଚାର: ସକାଳେ ମୋଦି, ସନ୍ଧ୍ୟାରେ ପାଣ୍ଡିଆନଙ୍କ ରୋଡ ଶୋ’

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ମେ’ ୨୦ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଆଉ ସେହି ଦିନ ପୁଣିଥରେ ଓଡ଼ିଶାରେ ପ୍ରଚାର କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଗନ୍ନାଥ ଧାମ ଭାବେ ପରିଚିତ ପୁରୀରେ ବିଶାଳ ରୋଡ ଶୋ’ କରିବେ ପିଏମ୍‌ ମୋଦି। ସେହିଦିନ ବିଜେଡିର ପୋଷ୍ଟର ବୟ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପୁରୀରେ କରିବେ ବିଶାଳ ରୋଡ ଶୋ’। ଦୁଇ ପ୍ରମୁଖ ନେତାଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ ରହିଥିବାରୁ ପୁରୀ ରାଜନୀତି ଏବେ ସରଗରମ ହୋଇ ଉଠିଛି।

ମେ’ ୨୫ ତାରିଖରେ ପୁରୀ ଲୋକସଭା କ୍ଷେତ୍ର ପାଇଁ ପଡ଼ିବ ଭୋଟ୍। ଯାହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ବିଶାଳ ରୋଡ ଶୋ’। ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀଙ୍କ ସହ ମିଶି କରିବେ ଶକ୍ତି ପ୍ରଦର୍ଶନ। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୨୦ରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ। ଦର୍ଶନ ସାରି ବଡ଼ଦାଣ୍ଡରେ ରୋଡ୍‌ ଶୋ’ କରିବେ। କିଛି ବାଟ ଚାଲି ଚାଲି ଲୋକଙ୍କ ସହ ହାତ ମିଳାଇବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

ସକାଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଥିବାବେଳେ ଅପରାହ୍ଣରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପୁରୀ ଗସ୍ତରେ ଆସି ଶକ୍ତି ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି। ବିଜେଡି ଜିଲ୍ଲା ସଭାପତି ଦିବାକର ପାତ୍ରଙ୍କ ସୂଚନା ମୁତାବକ, ଶ୍ରୀ ପାଣ୍ଡିଆନ ମରିଚିକୋଟ ଛକରୁ ରୋଡ୍‌ ସୋ’ କରିବେ। ପାଣ୍ଡିଆନଙ୍କ ଏହି ରୋଡ୍‌ ସୋ’ ମରିଚିକୋଟ ଛକରୁ ମେଡିକାଲ୍‌ ଛକ, ଶ୍ରୀଗୁଣ୍ଡିଚା ମନ୍ଦିର, ନବକଳେବର ରୋଡ୍‌ ହୋଇ ଅଠରନଳାରେ ଶେଷ ହେବ। ପରେ ସତ୍ୟବାଦୀରେ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି। ତେବେ କାର୍ଯ୍ୟସୂଚୀର ସମୟ ସାରଣୀ ଆସିନଥିବା ଶ୍ରୀ ପାତ୍ର କହିଛନ୍ତି।

ମୁଣ୍ଡ ଉପରେ ପୁରୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ। ଚଳିତ ମାସ ୨୫ରେ ପୁରୀ ଲୋକସଭା ଆସନ ସହ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲିରେ ମତଦାନ ହେବ। ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ମହାଶକ୍ତି ପ୍ରଦର୍ଶନ ପାଇଁ ସଜବାଜ ହେଲେଣି। ସୂଚନାଥାଉକି, ଉଭୟ ନେତାଙ୍କ ପ୍ରଚାର ନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସି ନାହିଁ।

Leave A Reply

Your email address will not be published.