ଆଜି ରାଜଧାନୀବାସୀ ଦେଖିବେ ନବୀନ ଶୋ’, ସାଢ଼େ ୪ଟାରୁ ବନ୍ଦ ରହିବ ରାସ୍ତା

ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ’ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ ଦେଖିବେ ରାଜଧାନୀବାସୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ରୋଡ ଶୋ’। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ଡିସିପିଙ୍କ ନେତୃତ୍ବରେ ସହରରେ ବଡ଼ ଫ୍ଲାଗ ମାର୍ଚ୍ଚ କରାଯାଇଛି।
ସୂଚନା ମୁତାବକ, ଆଜି ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ ଭୁବନେଶ୍ୱର ଗଙ୍ଗନଗର ଛକରୁ ଆରମ୍ଭ ହେବ। ୬.୩୦ରେ ଗଙ୍ଗନଗର ଛକରୁ ଏହି ପ୍ରଚାର ଆରମ୍ଭ ହୋଇ ଗୋପବନ୍ଧୁ ନଗର, ଡିଏଭି ସ୍କୁଲ ରାସ୍ତା, ଶ୍ରୀକୃଷ୍ଣ କ୍ଳବ ଛକ, କଳିଙ୍ଗ ଷ୍ଟାଡିୟମ, ବାୟାବାବା ମଠ ରାସ୍ତା, ସତ୍ୟନଗର ରାସ୍ତା ଦେଇ ୭.୩୦ରେ ଶିଶୁଭବନ ଛକରେ ପ୍ରଚାର ଶେଷ ହେବ। ରୋଡ୍ ଶୋ’ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍ କଟକଣା, ସାଢ଼େ ୪ଟାରୁ ରାସ୍ତା ବନ୍ଦ ରହିବ।