Odisha Link
Bridging the Missing Links in Odisha

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା; ଆଶୁ ଆରୋଗ୍ୟ କାମନା କଲେ ନରେନ୍ଦ୍ର ମୋଦି

ଓଏଲ୍‌ ବ୍ୟୁରୋ: ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଗତକାଲି କ୍ୟାବିନେଟ ବୈଠକ ପରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହି ଖବର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ଭାରତ ସ୍ଲୋଭାକିଆ ସହ ଅଛି ବୋଲି ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି।

ସୂଚନା ଅନୁସାରେ, ଗତକାଲି କ୍ୟାବିନେଟ୍‌ ବୈଠକ ଶେଷ କରି ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଫେରୁଥିଲେ। ହାଉସ୍‌ ଅଫ୍‌ କଲ୍‌ଚର ସମ୍ମୁଖରେ ହଠାତ୍‌ ଭିଡ଼ ଭିତରୁ ଜଣେ ଯୁବକ ବାହାରି ଆସି ରବର୍ଟଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ସେ ଚାରି ରାଉଣ୍ଡ ଗୁଳି କରିଥିବା ଜଣାଯାଇଛି। ଗୋଟିଏ ଗୁଳି ରବର୍ଟଙ୍କ ପେଟକୁ ବାଜିଥିବା ବେଳେ ଅନ୍ୟଟି ତାଙ୍କ ମୁଣ୍ଡକୁ ବାଜିଛି। ଏହାପରେ ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ହେଲିକପ୍‌ଟର ଯୋଗେ ବାନ୍‌ସ୍କା ବ୍ୟାଷ୍ଟ୍ରିକାର ହସ୍‌ପିଟାଲ୍‌କୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ଦେଶର ରାଷ୍ଟ୍ରପତି ଜୁଜାନା କାପୁଟୋଭା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉପରେ ଏକାଧିକ ଗୁଳିମାଡ଼ ହୋଇଥିବା ସ୍ଲୋଭାକ ମିଡିଆରେ ସୂଚନା ରହିଛି।

Leave A Reply

Your email address will not be published.