୧୮ ମାସ ପରେ ବିଜେଡିକୁ ଫେରିଲେ ରାଜୁ ଦାସ

ଓଏଲ୍ ବ୍ୟୁରୋ: ଚାଲିଛି ନିର୍ବାଚନ। ହେଲେ ଶେଷ ହୋଇନାହିଁ ନେତାଙ୍କ ଦଳଡିଆଁ ପର୍ବ। ଭାରତୀୟ ଜନତା ପାର୍ଟି ଛାଡ଼ି ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ୍ ରାଜୁ ଦାସ। ଦୀର୍ଘ ୧୮ ମାସ ପରେ ସେ ପୁଣିଥରେ ବିଜୁ ଜନତା ଦଳକୁ ଫେରିଛନ୍ତି। ତାଙ୍କୁ ସସ୍ମିତ ପାତ୍ର ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।
ସୋର ବିଧାନସଭା ଆସନ ପାଇଁ ପ୍ରଥମେ ରାଜୁ ଦାସଙ୍କ ନାମ ଘୋଷଣା କରିଥିଲା ବିଜେପି। ସେ ମଧ୍ୟ ନାମାଙ୍କନ ଦାଖଲ କରି ସାରିଥିଲେ। ହେଲେ ନାମାଙ୍କନ ଦାଖଲର ଶେଷ ଦିନ ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ଶେଷ ସମୟରେ ବିଜେପି ବିଧାନସଭା ପ୍ରାର୍ଥୀ ବଦଳାଇ ପର୍ଶୁରାମ ଧଡ଼ାଙ୍କୁ ନୂଆ ପ୍ରାର୍ଥୀ କରିଥିବା ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡା ହୋଇଥିଲେ ପ୍ରାର୍ଥୀ। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଧଡ଼ା। ଯାହାଫଳରେ ଅତିଷ୍ଠ ହୋଇ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ରାଜୁ ଦାସ।
ସୂଚନାଥାଉକି, ଧାମନଗର ଉପନିର୍ବାଚନରେ ବିଜେଡି ରାଜୁ ଦାସଙ୍କୁ ଟିକେଟ ନଦେବାରୁ ସ୍ବାଧୀିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ରାଜୁ ଦାସ ହାରିବା ସହିତ ବିଜେଡି ପ୍ରାର୍ଥୀ ମଧ୍ୟ ହାରିଥିଲେ। ରାଜେନ୍ଦ୍ର ଦାସଙ୍କୁ ଦଳ ବିରୋଧି କାର୍ଯ୍ୟପାଇଁ ଦଳରୁ ଦୁରେଇ ଦେଲା ବିଜେଡି। ସ୍ୱାଧୀନ ଭାବେ ଛିଡା ହେବାରୁ ୨୦୨୨ ଅକ୍ଟୋବର ୧୯ ତାରିଖରେ ରାଜୁ ଦାସଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି।