Odisha Link
Bridging the Missing Links in Odisha

ଓଡ଼ିଶାରେ ଏଥର ୧୫ରୁ ଅଧିକ ଲୋକସଭା ଓ ୭୫ରୁ ଅଧିକ ବିଧାନସଭା ଜିତିବୁ: ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କେନ୍ଦ୍ରୟ ବିଜେପି ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ। ୭୨ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ। ଆଜି ରାଉରକେଲା ଗସ୍ତରେ ଆସି ଅମିତ ଶାହ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ପୂର୍ବଥର ଭଳି ରାଜ୍ୟ ସରକାରଙ୍କୁ ସମାନ ଢଙ୍ଗରେ ଟାର୍ଗେଟ କରିଛନ୍ତି। ଏଥିସହିତ ନିର୍ବାଚନରେ ଓଡ଼ିଶା ବିଜେପି କେତେ ଆସନ ଜିତିବ ସେ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ।

ରାଉରକେଲାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଗୌରବକୁ ପୁନଃ ପ୍ରତିଷ୍ଠା କରିବ ଚଳିତ ନିର୍ବାଚନ। ଓଡ଼ିଶାର ଶାସନ ଓଡ଼ିଆରେ ନା ତାମିଲରେ ଚାଲିବ। ପ୍ରଭୁ ଜଗନ୍ନାଥଙ୍କ ସବୁ ଦ୍ବାର ଖୋଲା ଯାଉନାହିଁ କାହିଁକି ? ପରିକ୍ରମା ପ୍ରକଳ୍ପ ନାଁରେ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିଜ କରାଯାଉଛି। ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ନବୀନ ବାବୁ କୁହନ୍ତୁ । ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି ? ବିଜେପି ସରକାର ଆସିଲେ ମାସକରେ ରିପୋର୍ଟ ସାର୍ବଜନୀନ ହେବ ବୋଲି ଶାହ କହିଛନ୍ତି ।

ଏଥିସହିତ ଦୃଢ଼ୋକ୍ତି ପ୍ରକାଶ କରି ଅମିତ ଶାହ କହିଛନ୍ତି, ପ୍ରଥମ ୪ ପର୍ଯ୍ୟାୟରେ ମୋଦିଜୀ ୨୭୦ ସିଟ୍‌ ଟପିଗଲେଣି। ଏଥର ମୋଦିଜୀ ୪ ଶହ ପାର୍‌ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି। କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ। ଓଡ଼ିଶାରେ ଡବଲ ପରିବର୍ତ୍ତନ ହେବା ନିଶ୍ଚିତ ହେଲାଣି। ଓଡ଼ିଶାରେ ବିଜେପି ୧୫ରୁ ଅଧିକ ଲୋକସଭା ଓ ୭୫ରୁ ଅଧିକ ବିଧାନସଭା ଜିତିବ। ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଂଜିନ ଗଡ଼ିବ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି ଶାହ। ଯାହା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।

Leave A Reply

Your email address will not be published.