Odisha Link
Bridging the Missing Links in Odisha

‘୩୦୦ ପାର୍‌ରେ ଲାଗୁ ହେଲା ସିଏଏ, ୪୦୦ ଟପିଲେ ଭାରତ ସହ ମିଶିବ ପିଓକେ’

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ଆଜି ଓଡ଼ିଶା ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।

କବି ସୂର୍ଯ୍ୟନଗରରେ ପହଞ୍ଚି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେପି ପ୍ରଚାର ସଭାରେ ଓଡ଼ିଆରୁ ଭାଷଣ ଆରମ୍ଭ କରିଛନ୍ତି। ସାଧାରଣ ସଭାରେ ବିଜେଡି ଓ ପାଣ୍ଡିଆନ୍‌ଙ୍କୁ ସିଧାସଳଖ ଟାର୍ଗେଟ୍‌ କରିବା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗଠାରୁ ଆରମ୍ଭ କରି ରାସନ ଚାଉଳ ଯାଏ ସବୁ ପ୍ରସଙ୍ଗ ଉଠାଇ ଜବାବ ମାଗିଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି।

ମୋଦିଙ୍କ ୪୦୦ ପାର ନାରାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ପିଓକେକୁ ଭାରତ ସହ ମିଶାଇବାକୁ ମୋଦି ୪ଶହ ପାର୍ ନାରା ଦେଇଛନ୍ତି। ୩ଶହ ପାର୍‌ରେ ଶ୍ରୀରାମ ମନ୍ଦିର ନିର୍ମାଣ ହେଲା, ସିଏଏ ଲାଗୁ ହେଲା। ୪ ଶହ ପାର୍ ହେଲେ ପିଓକେ ଭାରତ ସହ ମିଶିବ। ୪ ଶହ ମଧ୍ୟରେ ଆସ୍କା ନିର୍ବାଚନ ମଣ୍ଡଳୀ ମଧ୍ୟ ଆସୁଛି। କୃଷ୍ଣ ମନ୍ଦିର, ଜ୍ଞାନବ୍ୟାପୀ ନିର୍ମାଣ ହେବ, ଅନେକ କାର୍ଯ୍ୟ କରାଯିବ। ପିଓକେ ଅଶାନ୍ତ ସତ୍ତ୍ବେ ଶ୍ରୀନଗରରେ ଲୋକ ସୁରକ୍ଷିତ ଓ ଶାନ୍ତିରେ ଅଛନ୍ତି।

ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଓଡ଼ିଶାରେ ମୋଦି ମାଗଣା ଚାଉଳ ଦେଲେ, ନବୀନ ଅଖା ଦେଲେ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଲେ। ଯଦି ମୋଦି ଚାଉଳ ଦେଲେ, ତମେ ଡାଲି ନଚେତ୍ ଲୁଣ ଦେଇଥାନ୍ତ। ରାଜ୍ୟ ସରକାର ୨ ଅଖା ଦେଇ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି। ଆଉ ସେହି ଝୁଲା ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ତାମିଲନାଡୁରୁ ଆସିଛି।

ସେହିପରି ଛତିଶଗଡ଼ରେ ବିଜେପି ସରକାର ଅଛି। ସେଠାରେ ଅନେକ ସୁବିଧା ମିଳୁଛି। ଛତିଶଗଡ଼ରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା, ମାତ୍ର ଓଡ଼ିଶାରେ ୨୧୦୦ଟଙ୍କା । ଏହା ସହ ଓଡ଼ିଶାରେ କଟନିଛଟଣି କରାଯାଉଛି। ବିଜେପି ଯଦି ସେଠାରେ ଏତେ ଟଙ୍କା ଦେଉଛି ତେବେ ବିଜେଡି କାହିଁକି ଦେଉନି ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ। ସଭାରେ ହିମନ୍ତ ବିଜେଡିର ଏକ୍ସପାରୀ ଡେଟ୍ ଜୁନ ୪ ବୋଲି ପୁଣି ଥରେ ଦୋହରାଇଛନ୍ତି। ବିଜେପି ସରକାର ଆସିବାର ମାସକରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା କରାଯିବ ବୋଲି ହିମନ୍ତ ବିଶ୍ବଶର୍ମା କହିଛନ୍ତି।

Leave A Reply

Your email address will not be published.