ଖଲ୍ଲିକୋଟରେ ହିଂସା: ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ଗଞ୍ଜାମ ଜଗିବେ କେନ୍ଦ୍ରୀୟ ଫୋର୍ସ
ଓଏଲ୍ ବ୍ୟୁରୋ: ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ଭିତରେ ଗଂଜାମରେ ନିର୍ବାଚନୀ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହା ପରେ ସେଠାରେ ପରିସ୍ଥିତି ଆହୁରି ଶୋଚନୀୟ ହେବାରେ ଲାଗିଛି।
ଖଲ୍ଲିକୋଟରେ ନିର୍ବାଚନୀ ହିଂସା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ଅତିରିକ୍ତ ୨୦ କମ୍ପାନୀ ସେଣ୍ଟ୍ରାଲ୍ ଆର୍ମଡ ପୁଲିସ ଫୋର୍ସ। ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇପାରିବ, ସେଥିପାଇଁ ଏହି ଫୋର୍ସକୁ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଗୁଡ଼ିକରେ ମୁତୟନ କରିବାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ଅନୁମୋଦନ ଦେଇଛନ୍ତି।
ସୂଚନା ଅନୁସାରେ, ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା।ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛି ବିଜେପି। ହିଂସା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି। ହିଂସାକୁ ଆୟତ୍ତ ସହ ପଦକ୍ଷେପ ନେବାକୁ ସିଇଓ ନିର୍ଦେଶ ଦେଇଛନ୍ତି। ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଜାରି କଲା ପ୍ରଶାସନ। ଥାନା ଆଗରେ ଉତ୍ତେଜନା ପରେ ୧୪୪ ଲାଗୁ ହେଲା। ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରି କରାଯାଇଛି।