ଆଜି ଓଡ଼ିଶାରେ ହେଭିଓ୍ବେଟ୍ଙ୍କ ପ୍ରଚାର; ଭୁବନେଶ୍ୱର ଆସୁଛନ୍ତି ହେମା ମାଳିନୀ

ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ଆଜି ଓଡ଼ିଶା ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମା ମାଳିନୀ। ଭୁବନେଶ୍ୱର ଉତ୍ତର, କଟକ କିଶନ ନଗରରେ ହେମା ମାଳିନୀ ସଭା କରିବେ।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପ୍ରମୁଖ ଆଜି ଓଡିଶା ଆସୁଛନ୍ତି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ବାହାରି ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କରିବେ। ଏକ ଘଣ୍ଟାପରେ ସେ ହେଲିକପ୍ଟର ଯୋଗେ କଟକ ପହଞ୍ଚିବେ। ମଧ୍ୟାହ୍ନ ୧ଟା ୧୦ରେ କଟକ କିଶୋର ନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପ୍ରଚାର ସାରିବା ପରେ ପିପିଲି ଯିବେ ଡ୍ରିମଗାର୍ଲ। ଅପରାହ୍ନ ୪ଟାରେ ପିପିଲି ରୋଡ୍ ସୋ’ ରେ ଯୋଗଦେବେ। ଏହାପରେ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ହେମାମାଳିନୀ।
ସେହିପରି ଆଜି ପୁଣି ଆସିବେ ଅମିତ ଶାହ। ରାଉରକେଲାରେ ସାଧାରଣ ସଭା କରିବେ। ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ। ସେ ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।