ମେ’ ୧୯ରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି, ୨୦ରେ ବଡ଼ଦାଣ୍ଡରେ କରିବେ ରୋଡ ଶୋ’

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ମେ’ ୨୦ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଆଉ ସେହି ଦିନ ପୁଣିଥରେ ଓଡ଼ିଶାରେ ପ୍ରଚାର କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେ’ ୧୯ ତାରିଖରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ୨୦ ତାରିଖ ସକାଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପୁରୀରେ ବିଶାଳ ରୋଡ ଶୋ’ କରିବେ ପିଏମ୍ ମୋଦି।
ମେ’ ୨୫ ତାରିଖରେ ପୁରୀ ଲୋକସଭା କ୍ଷେତ୍ର ପାଇଁ ପଡ଼ିବ ଭୋଟ୍। ଯାହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ବିଶାଳ ରୋଡ ଶୋ’। ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀଙ୍କ ସହ ମିଶି କରିବେ ଶକ୍ତି ପ୍ରଦର୍ଶନ। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ୧୯ ତାରିଖ ତାରିଖରେ ଆସି ରାତ୍ରୀଯାପନ କରିବେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୦ରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ। ଦର୍ଶନ ସାରି ବଡ଼ଦାଣ୍ଡରେ ରୋଡ୍ ଶୋ’ କରିବେ। କିଛି ବାଟ ଚାଲି ଚାଲି ଲୋକଙ୍କ ସହ ହାତ ମିଳାଇବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି। ପରେ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।