Odisha Link
Bridging the Missing Links in Odisha

ଖଲ୍ଲିକୋଟ ହିଂସା: ଏଡିଜି ରାଧାକୃଷ୍ଣ ଶର୍ମାଙ୍କୁ ଆଇନ ଶୃଙ୍ଖଳା ତଦାରଖ ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ଭିତରେ ଗଂଜାମରେ ନିର୍ବାଚନୀ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହା ପରେ ସେଠାରେ ପରିସ୍ଥିତି ଆହୁରି ଶୋଚନୀୟ ହେବାରେ ଲାଗିଛି।

ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଛି। ଏସ୍‌ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ। ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ। ଛତ୍ରପୁରରେ ଜଣେ ଏଡିଜି ରହି ଆଇନଶୃଙ୍ଖଳା ତଦାରଖ କରିବେ। ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରଠାରେ ରହି ଆଇନ ଶୃଙ୍ଖଳା ତଦାରଖ କରିବେ।

ଅନ୍ୟପଟେ, ଖଲ୍ଲିକୋଟରେ ନିର୍ବାଚନୀ ହିଂସା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ମୁତୟନ ହେବେ ଅତିରିକ୍ତ ୨୦ କମ୍ପାନୀ ସେଣ୍ଟ୍ରାଲ୍ ଆର୍ମଡ ପୁଲିସ ଫୋର୍ସ। ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇପାରିବ, ସେଥିପାଇଁ ଏହି ଫୋର୍ସକୁ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଗୁଡ଼ିକରେ ମୁତୟନ କରିବାକୁ ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଞ୍ଜାମରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ପାଇଁ ଅନୁମୋଦନ ଦେଇଛନ୍ତି।

ସୂଚନା ଅନୁସାରେ, ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ହିଂସା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି। ହିଂସାକୁ ଆୟତ୍ତ ସହ ପଦକ୍ଷେପ ନେବାକୁ ସିଇଓ ନିର୍ଦେଶ ଦେଇଛନ୍ତି। ଖଲ୍ଲିକୋଟ ହିଂସାକୁ ନେଇ ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ଥାନା ଆଗରେ ଉତ୍ତେଜନା ପରେ ୧୪୪ ଲାଗୁ ହେଲା। ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରି କରାଯାଇଥିଲା।

Leave A Reply

Your email address will not be published.