ବାରିପଦା ସହରରୁ ତୁଟିଲା ବାଘ ଭୟ; କାବୁ ହେଲା କଲରାପତରିଆ
ଓଏଲ୍ ବ୍ୟୁରୋ: ମୟୂରଭଞ୍ଜ ଜିଲା ବାରିପଦା ସହରକୁ ବାଘ ପଶିଥିବା ଖବର ସାମ୍ନାକୁ ଆସିଥିଲା। ସହର ଭିତରକୁ ଏକ କଲରାପତରିଆ ବାଘ ପଶିଆସିଥିବା ସୂଚନା ମିଳିବା ପରେ ଭୟ ବଢିଥିଲା। ବାଘଟି ସହର ନିକଟ ଭଞ୍ଜପୁର ଅଞ୍ଚଳରେ ବୁଲୁଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିବା କହିଥିଲେ। ଖାଦ୍ୟ ଅନ୍ୱେଷଣରେ ବାଘଟି ସହରକୁ ଚାଲିଆସିଥିବା କୁହାଯାଉଥିବାବେଳେ କଲରାପତରିଆ ବାଘ କାବୁ ହୋଇଛି। ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ରେସ୍କ୍ୟୁ ଟିମ୍। ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ କଲେ। ସହରର ଭଂଜପୁର ଅଞ୍ଚଳରେ ବାଘ ବୁଲୁଥିବା ଅଞ୍ଚଳବାସୀ ଦେଖିଥିଲେ।
ସୂଚନା ଅନୁସାରେ, ସକାଳୁ ସକାଳୁ କୁକୁର ଭୁକିବାରୁ ସ୍ଥାନୀୟ ଲୋକେ ବାଘକୁ ଦେଖିବାକୁ ପାଇଥିଲେ। ବାଘଟିର ଲମ୍ବ ପ୍ରାୟ ୫ ଫୁଟ ହେବ ବୋଲି ସ୍ଥାନୀୟ ଲୋକେ କହିଥିଲେ। ଅନ୍ୟପଟେ ବାଘ ସହରକୁ ପଶିଆସିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବାଘକୁ କାବୁ କରିବା ପାଇଁ ଉଦ୍ଧାରକାରୀ ଦଳ ସହିତ ଟ୍ରାଙ୍କୁଲାଇଜର ଟିମ୍ ମଧ୍ୟ ପହଞ୍ଚିଥିଲେ। ଏହା ସହିତ ସ୍ଥାନୀୟ ଡିଏଫଓ ମଧ୍ୟ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ। ବାଘକୁ କିପରି ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ସହିତ ତା’କୁ ଜଙ୍ଗଲରେ ଛଡ଼ାଯିବ ସେ ନେଇ ଅଧିକାରୀମାନେ ଅନୁଧ୍ୟାନ କରୁଥିବା ଜଣାପଡ଼ିଥିଲେ। ତେବେ ବର୍ତ୍ତମାନ ବାଘଟି କାବୁ କରାଯାଇଥିବା ସ୍ପଷ୍ଟ ହୋଇଛି।