୨୧ରେ ପୁଣି ଓଡ଼ିଶା ଆସିବେ ଶାହ, କାଲି ଆସୁଛନ୍ତି ମୋଦି-ରାଜନାଥ

ଓଏଲ୍ ବ୍ୟୁରୋ: ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର। କାରଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି। ଓଡ଼ିଶା ଦଖଲ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ ବିରୋଧୀଙ୍କୁ ଚକମା ଦେବାକୁ କରୁଛି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ମେ’ ୨୧ରେ ଗୃହମନ୍ତ୍ରୀ ଓଡ଼ିଶାରେ ୪ଟି ସ୍ଥାନରେ ସଭା କରିବେ। ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ସମ୍ବଲପୁରରେ ବିଶାଳ ଜନସଭା କରିବେ ଶାହ। ଏହାପରେ କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ମେ’ ୧୫, ୧୭ରେ ଓଡ଼ିଶାରେ ପ୍ରଚାର କରି ଯାଇଥିବା ଶାହ ପୁଣିଥରେ ୨୧ରେ ଆସିବେ ଓଡ଼ିଶା।
ସେହିପରି ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ ତାରିଖ ସକାଳେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ତାପରେ ଅନୁଗୁଳରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢ଼େ ୧୧ଟାରେ କରିବେ ଜନ ସମାବେଶ । ତା ପୂର୍ବରୁ ୧୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ ।