ଆସନ୍ତା ୨୪ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ନିର୍ବାଚନରେ ବାଧା ଦେଇପାରେ ଲଘୁଚାପ!
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏସବୁ ଭିତରେ ନିର୍ବାଚନରେ ବର୍ଷା ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ୨୪ରେ ଅବପାତର ରୂପ ନେବ ଲଘୁଚାପ। ୨୩ ସକାଳୁ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିବାବେଳେ ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀ ୨୩ ସୁଦ୍ଧା କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଓ ୨୫ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି।