କଟକରେ ମୋଦିଙ୍କ ଦୃଢ଼ୋକ୍ତି; ପୂର୍ଣ୍ଣ ବହୁମତରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ଏସବୁ ଭିତରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ପୁରୀ ତାଳ ବଣିଆ ହେଲିପ୍ୟାଡରେ ପହଞ୍ଚି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ଏହା ପରେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ଶ୍ରୀମନ୍ଦିରରେ ପହଂଚିବା ପରେ ସେବାୟତ ମାନେ ତାଙ୍କୁ ସ୍ବାଗତ କରିଥିବା ବେଳେ ଅରୁଣ ସ୍ତମ୍ବ ନିକଟରେ ଦୀପ ଦାନ କରିଥିଲେ।ଶ୍ରୀଜୀଉଙ୍କୁ ଦର୍ଶନ ପରେ ମୋଦି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିବା ସହ ବେଢା ପରିକ୍ରମା କରିଥିଲେ। ପରେ ମରଚିକୋଟ ଛକ ଠାରୁ ଡାକ୍ତର ଖାନା ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ରୋଡ ଶୋ’ରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ସହ ଭେଟିବା ସହ ନିର୍ବାଚନି ରାଲି ରେ ସାମିଲ ହୋଇଥିଲେ। ସକାଳ ୮ଟା ୫ରୁ ରୋଡ୍ ଶୋ’ ଆରମ୍ଭ ହୋଇ ୯ଟାରେ ମେଡିକାଲ ଛକରେ ଶେଷ ହୋଇଥିଲା।
ବଡଦାଣ୍ଡରେ ଉଭୟ ପାର୍ଶ୍ଵରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ନଜରକୁ ଆସିଥିଲା। ରାସ୍ତାର ଉଭୟ ପାର୍ଶ୍ୱ ରେ ହଜାର ହଜାର ସମର୍ଥକ ପ୍ରଧାନମନ୍ତ୍ରୀଙ୍କୁ ହାତ ହଲେଇ ଅଭିବାଦନ ଜ୍ଞାମ୍ପନ କରିଥିଲେ। ରୋଡ ସୋ ପରେ ମୋଦି ହେଲିପ୍ୟାଡ଼କୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେଠାରୁ ସେ ଅନୁଗୁଳ ଗସ୍ତ କରିଥିଲେ। ଅନୁଗୁଳ ପରେ କଟକ ଗସ୍ତ କରିଛନ୍ତି ମୋଦି। କଟକରେ ଜନସଭାରେ ଯୋଗ ଦେଇ ଶ୍ରୀ ମୋଦି କହିଛନ୍ତି, ‘ମା କଟକଚଣ୍ଡୀ, ମା ଭଗବତୀ, ମହାପ୍ରଭୁ ନୀଳମାଧବଙ୍କ ଏହି ପବିତ୍ର ମାଟିରେ ପହଞ୍ଚି ମୋ ଜୀବନ ଧନ୍ୟ ହୋଇଛି। ଜନସଭାରେ ଏତେ ସଂଖ୍ୟ ପ୍ରଶଂସକଙ୍କୁ ଦେଖିବା ପରେ ସେ ନିଶ୍ଚିତ ଯେ, ୨୫୬ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି। ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହାସହ କଟକବାସୀଙ୍କ ଆଶୀର୍ବାଦରୁ ତୃତୀୟଥର ପାଇଁ ଜୁନ୍ ୧୦ରେ ମୋଦୀ ପୁଣି ଦିଲ୍ଲୀରେ ଶପଥ ନେବ, ଏହା ଧାର୍ଯ୍ୟ।
ଓଡ଼ିଶାରେ ବିଜେପି ସରକାର ଆଣନ୍ତୁ, ଓଡ଼ିଶାର ପୁଅ କିମ୍ବା ଝିଅକୁ ହିଁ ବିଜେପି ମୁଖ୍ୟମନ୍ତ୍ରୀ କରିବ। ଜୁନ୍ ୧୦ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ। ଏଥିପାଇଁ ମୁଁ ନିମନ୍ତ୍ରଣ ଦେବାକୁ ଆସିଛି। ଏବେ ସମୟ ଆସିଛି ଢିଲା କାମ, ଢିଲା ନୀତି, ଧୀମା କାମକୁ ଛାଡି ବିଜେପିକୁ ବାଛନ୍ତୁ। ଗତ ୨୫ ବର୍ଷରେ ଅନେକ ଜଳସେଚନ ପ୍ରକଳ୍ପ ଅଟକି ରହିଛି। କିନ୍ତୁ ମୋଦିଙ୍କୁ ସୁଯୋଗ ଦେଲେ ଜଳସେଚନର ସୁବ୍ୟବସ୍ଥା କରିବୁ ବୋଲି ଶ୍ରୀ ମୋଦି କହିଛନ୍ତି।