ଗରିବଙ୍କୁ ଧୋକା ଦେଉଛି ବିଜେଡି: ମୋଦି
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ଏସବୁ ଭିତରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ପୁରୀ ତାଳ ବଣିଆ ହେଲିପ୍ୟାଡରେ ପହଞ୍ଚି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ। ଏହା ପରେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ଶ୍ରୀମନ୍ଦିରରେ ପହଂଚିବା ପରେ ସେବାୟତ ମାନେ ତାଙ୍କୁ ସ୍ବାଗତ କରିଥିବା ବେଳେ ଅରୁଣ ସ୍ତମ୍ବ ନିକଟରେ ଦୀପ ଦାନ କରିଥିଲେ।ଶ୍ରୀଜୀଉଙ୍କୁ ଦର୍ଶନ ପରେ ମୋଦି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିବା ସହ ବେଢା ପରିକ୍ରମା କରିଥିଲେ। ପରେ ମରଚିକୋଟ ଛକ ଠାରୁ ଡାକ୍ତର ଖାନା ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ରୋଡ ଶୋ’ରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ସହ ଭେଟିବା ସହ ନିର୍ବାଚନି ରାଲି ରେ ସାମିଲ ହୋଇଥିଲେ। ସକାଳ ୮ଟା ୫ରୁ ରୋଡ୍ ଶୋ’ ଆରମ୍ଭ ହୋଇ ୯ଟାରେ ମେଡିକାଲ ଛକରେ ଶେଷ ହୋଇଥିଲା।
ବଡଦାଣ୍ଡରେ ଉଭୟ ପାର୍ଶ୍ଵରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ନଜରକୁ ଆସିଥିଲା। ରାସ୍ତାର ଉଭୟ ପାର୍ଶ୍ୱ ରେ ହଜାର ହଜାର ସମର୍ଥକ ପ୍ରଧାନମନ୍ତ୍ରୀଙ୍କୁ ହାତ ହଲେଇ ଅଭିବାଦନ ଜ୍ଞାମ୍ପନ କରିଥିଲେ।ରୋଡ ସୋ ପରେ ମୋଦି ହେଲିପ୍ୟାଡ଼କୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସେଠାରୁ ସେ ଅନୁଗୁଳ ଗସ୍ତ କରିଥିଲେ। ଅନୁଗୁଳ ପରେ କଟକ ଗସ୍ତ କରିଛନ୍ତି ମୋଦି। କଟକରେ ଜନସଭାରେ ଯୋଗ ଦେଇ ଶ୍ରୀ ମୋଦି କହିଛନ୍ତି, ‘ମା କଟକଚଣ୍ଡୀ, ମା ଭଗବତୀ, ମହାପ୍ରଭୁ ନୀଳମାଧବଙ୍କ ଏହି ପବିତ୍ର ମାଟିରେ ପହଞ୍ଚି ମୋ ଜୀବନ ଧନ୍ୟ ହୋଇଛି। ଜନସଭାରେ ଏତେ ସଂଖ୍ୟ ପ୍ରଶଂସକଙ୍କୁ ଦେଖିବା ପରେ ସେ ନିଶ୍ଚିତ ଯେ, ୨୫୬ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି। ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହାସହ କଟକବାସୀଙ୍କ ଆଶୀର୍ବାଦରୁ ତୃତୀୟଥର ପାଇଁ ଜୁନ୍ ୧୦ରେ ମୋଦୀ ପୁଣି ଦିଲ୍ଲୀରେ ଶପଥ ନେବ, ଏହା ଧାର୍ଯ୍ୟ।
ବିରୋଧୀଙ୍କୁ ଟାର୍ଗେଟ କରି ଶ୍ରୀ ମୋଦି କହିଛନ୍ତି, ସମସ୍ତେ ତୃତୀୟ ଥର ମୋଦି ସରକାରକୁ ଚାହୁଁଛନ୍ତି। ଓଡ଼ିଶାର ଗାଁ ଗାଁ, ଘରେ ଘରେ ଗୋଟିଏ ନାରା ଶୁଭୁଛି ଓଡ଼ିଶାରେ ପ୍ରଥମଥର ହେବ ଡବଲ ଇଞ୍ଜିନ ସରକାର। ବିଜେଡିକୁ ୨୫ ବର୍ଷ ଭରସା କରିଲେ, ଏବେ ଓଡ଼ିଶାବାସୀ ଆତ୍ମମନ୍ଥନ କରୁଛନ୍ତି ଯେ ଏତେ ବର୍ଷରେ ଜନସାଧାରଣଙ୍କୁ ମିଳିଲା କଣ। ଆଜି ବି ଓଡ଼ିଶାର ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଆଦିବାସୀ ଅଞ୍ଚଳ ଯେଉଁଠି ଅଧିକ ଖଣିଜ ସମ୍ପଦ ରହିଛି ସେ ସ୍ଥାନ ସବୁଠୁ ପଛୁଆ ରହିଛି। ଏହି ଅଞ୍ଚଳରୁ ହିଁ ଅଧିକ ଦାଦନ ସମସ୍ୟା ଦେଖିବାକୁ ମିଳୁଛି । ସମୃଦ୍ଧ ଓଡ଼ିଶାର ଜନତା କାହିଁକି ଗରିବୀରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି।
ଓଡ଼ିଶାର ଗରିବୀକୁ ଦେଖିଲେ ମୋତେ ବହୁତ କଷ୍ଟ ହୋଇଥାଏ। ସମୃଦ୍ଧ ଓଡ଼ିଶାକୁ କିଏ ବରବାଦ କରିଛି? କିଏ ଓଡ଼ିଶାର ଯୁବବର୍ଗଙ୍କ ସ୍ୱପ୍ନକୁ ନଷ୍ଟ କଲା? ଏହାର କାରଣ ହେଉଛି ବିଜେଡି ସରକାର। ଏହି ସରକାର ଭଷ୍ଟ୍ରାଚାରଙ୍କ କବଳରେ ରହିଛି। କିଛି ଦୁର୍ନୀତିଖୋର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା କରି ରଖିଛନ୍ତି। ବିଜେଡିର ଛୋଟ ଛୋଟ ନେତା କୋଟି କୋଟି ଟଙ୍କାର ମାଲିକ ପାଲଟିଛନ୍ତି। ଏଠାରେ ଥିବା ଖଣିଜ ସମ୍ପଦର ଲାଭ ଜନସାଧାରଣଙ୍କୁ ମିଳୁନି।
୨୦୧୪ରୁ ଯେବେଠୁ ସେବା କରିବାକୁ ସୁଯୋଗ ଦେଇଛନ୍ତି ସେବେଠୁ ନୂଆ ଖଣି ଉତ୍ତୋଳନ ଆଇନ ଆଣିଛନ୍ତି। ଯାହାଦ୍ୱାରା ଓଡ଼ିଶାକୁ ଅଧିକ ଅଧିକ ରୟାଲିଟି ମିଳୁଛି। ଯାହାକୁ ଖଣି ଅଞ୍ଚଳର ବିକାଶ ସହ ଏଠାକାର ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଇପାରିବ। ଡିଏମଏଫ ଜରିଆରେ ୨୬ ହଜାର କୋଟି ଟଙ୍କା ଦିଆଯାଇଛି। ଏହି ଟଙ୍କା ଗାଁ ଲୋକଙ୍କ ବିକାଶ ଓ ସ୍କୁଲ ପାଇଁ ଖର୍ଚ୍ଚ ହୋଇଥାନ୍ତା କିନ୍ତୁ ଏହାକୁ କିଛି ଦୁର୍ନୀତିଖୋର ବିଜେଡି ନେତା ଚଳୁ କରୁଛନ୍ତି।
ବିଜେଡି ସରକାରରେ ଜଗନ୍ନାଥ ମନ୍ଦିର ମଧ୍ୟ ସୁରକ୍ଷିତ ନୁହେଁ। ଗତ ୬ ବର୍ଷ ହେବ ରତ୍ନଭଣ୍ଡାରର ଚାବି ମିଳୁନି। ଆମ ଘର ଚାବି ଖୋଜିଲେ ମହାପ୍ରଭୁଙ୍କୁ ସ୍ମରଣ କରିଥାଉ। କିନ୍ତୁ ୬ ବର୍ଷ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ମିଳୁନି। ଏଥିପାଇଁ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କବଜା କରିଥିବା ଲୋକ ହିଁ ଦାୟୀ । ପୂରା ଓଡ଼ିଶା ଜାଣିବାକୁ ଚାହୁଁଛି ଯେଉଁ ଯାଞ୍ଚ ହୋଇଛି ତାହାର ରିପୋର୍ଟରେ ଏମିତି କଣ ଅଛି ଯେ, ଏହାକୁ ଲୁଚାଯାଉଛି। ମୁଁ ଭରସା ଦେଉଛି, ଓଡ଼ିଶାରେ ବିଜେପି ସରକାର ହେବା ମାତ୍ରେ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ।
ଓଡ଼ିଶାରେ ବିଜେପି ସରକାର ଆଣନ୍ତୁ, ଓଡ଼ିଶାର ପୁଅ କିମ୍ବା ଝିଅକୁ ହିଁ ବିଜେପି ମୁଖ୍ୟମନ୍ତ୍ରୀ କରିବ। ଜୁନ୍ ୧୦ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ। ଏଥିପାଇଁ ମୁଁ ନିମନ୍ତ୍ରଣ ଦେବାକୁ ଆସିଛି। ଏବେ ସମୟ ଆସିଛି ଢିଲା କାମ, ଢିଲା ନୀତି, ଧୀମା କାମକୁ ଛାଡି ବିଜେପିକୁ ବାଛନ୍ତୁ। ଗତ ୨୫ ବର୍ଷରେ ଅନେକ ଜଳସେଚନ ପ୍ରକଳ୍ପ ଅଟକି ରହିଛି। କିନ୍ତୁ ମୋଦିଙ୍କୁ ସୁଯୋଗ ଦେଲେ ଜଳସେଚନର ସୁବ୍ୟବସ୍ଥା କରିବୁ ବୋଲି ଶ୍ରୀ ମୋଦି କହିଛନ୍ତି।