Odisha Link
Bridging the Missing Links in Odisha

ଇରାନ ରାଷ୍ଟ୍ରପତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୋଦି; ନିକଟରେ ହୋଇଥିଲା ଚବାହାର ଚୁକ୍ତି

ଓଏଲ୍‌ ବ୍ୟୁରୋ: ନିକଟରେ ଭାରତ-ଇରାନ ମଧ୍ୟରେ ହୋଇଥିଲା ଚବାହାର ବନ୍ଦର ଚୁକ୍ତି। ଯାହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥିଲା। ଐତିହାସିକ ଚବାହାର ଚୁକ୍ତିର ୬ ଦିନ ପରେ ଇରାନ ରାଷ୍ଟ୍ରପତିଙ୍କ ମୃ୍ତ୍ୟୁ ହୋଇଛି। ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି, ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟମାନଙ୍କ ମୃତଦେହ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି।

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ‘‘ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଦେହାନ୍ତ ଖବର ଶୁଣି ଚକିତ ଏବଂ ଖୁବ ଦୁଃଖିତ। ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ସମବେଦନା। ଏହି ଦୁଃଖଦ ସମୟରେ ଭାରତ ଇରାନ ସହିତ ଛିଡ଼ା ହୋଇଛି।’’

ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ ହୋଇଛି। ଏହା ପୂରାପୁରି ଧ୍ୱଂସ ହୋଇଯାଇଛି। ଏଥିରେ ଥିବା ଯାତ୍ରୀଙ୍କ ଜୀବନ୍ତ ଥିବା କୌଣସି ସଂକେତ ନାହିଁ। ଦୀର୍ଘ ୧୭ ଘଣ୍ଟାର ଅପରେଶନ ପରେ ଡ୍ରୋନ୍ ଫୁଟେଜ୍ ଅନୁଯାୟୀ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିକୁ ଖୋଜି ବାହାର କରିଥିଲେ।

ରବିବାର ଦିନ ପାଖାପାଖି ୩ଟା ସମୟରେ ଇରାନର ରାଜଧାନୀରୁ ପାଖାପାଖି ୬୦୦ କିଲୋମିଟର ଦୂର ଆଜରବୈଜାନର ଉତର ପଶ୍ଚିମର ଜୋଲଫା ସହରରେ ହଠାତ୍ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରବଳ ବର୍ଷା କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଅଧିକାରୀ ଓ ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଡ୍ରୋନର ସହାୟତା ନେଇଥିଲେ।

Leave A Reply

Your email address will not be published.