ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ; କହିଲେ-ଭୋଟ୍ ପାଇଁ କେତେ ମିଛ କହିବେ ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ସାଲେପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭି.କେ ପାଣ୍ଡିଆନ ପ୍ରଚାର କରିଛନ୍ତି।
ବିକାଶମୂଳକ କାମର ହିସାବ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ। ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ ଦେବାକୁ ନିବେଦନ କରିଛନ୍ତି। ଜୁନ୍ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ। ପ୍ରଥମ ଦସ୍ତଖତ କରିବେ, ଜୁଲାଇରୁ ବିଜୁଳି ବିଲ୍ ଆସିବନି। ମାଗଣା ବିଜୁଳି ଦେବ କହି ବିଜେପି ଦିନରେ ଲଣ୍ଠନ ଦେଖାଉଛି। ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଭିକେ ପାଣ୍ଡିଆନ ଅପିଲ କରିଛନ୍ତି।
ଏହାସହ ବିରୋଧୀ ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ଏବେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି କହୁଛନ୍ତି ଧାନର ଏମଏସପି ୨୨୦୦ ଟଙ୍କା ମିଳୁଛି ଏହା ମୋତେ ଦୁଃଖ ଦେଉଛି। କିନ୍ତୁ ଓଡ଼ିଶାରେ ଚାଷୀକୁ ୨୨୦୦ ଟଙ୍କା କିଏ ଦେଉଛି? କେନ୍ଦ୍ର ସରକାର ହିଁ ଧାନର ଏମଏସପି ଦେଉଛି। ଏହା ରାଜ୍ୟର କ୍ଷମତା ନୁହେଁ। ଭୋଟ ପାଇଁ କେତେ ମିଛ କହିବେ ପ୍ରଧାନମନ୍ତ୍ରୀ।
ବିଜେପିର ବଡ଼ ବଡ଼ ନେତା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ଚାଲିଥିବାବେଳେ ଚାଷୀଙ୍କ କଥା ମନେ ପଡ଼ୁଛି। ୧୦ ବର୍ଷ ହେବ ଓଡ଼ିଶାର ଚାଷୀଙ୍କ କଥା ମନେ ପଡ଼ୁନଥିଲା। ପ୍ରଧାନମନ୍ତ୍ରୀ ଗାଡ଼ିରେ ଥରେ ଏନଏଚ-୫୫ରେ ଯାଆନ୍ତୁ। କଟକରୁ ସମ୍ବଲପୁର ଥରେ ଗାଡ଼ିରେ ଯାଆନ୍ତୁ ପ୍ରଧାମନ୍ତ୍ରୀ। ୮ ବର୍ଷ ହେବ ଏନଏଚ-୫୫ ରାସ୍ତା କାମ ଚାଲୁଛି। କେଉଁଠି ଗଲା କେନ୍ଦ୍ର ସରକାରଙ୍କ ସ୍ପିଡ କାମ । କିନ୍ତୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍ସପ୍ରେସ ୱେ ଭଳି ନୂଆ ରାସ୍ତା କରି ଦେଖାଇଛନ୍ତି। ୮ ବର୍ଷରେ କେନ୍ଦ୍ର ପୁରୁଣା ରାସ୍ତାଟିଏ ମଧ୍ୟ ସମ୍ପୂର୍ଣ୍ଣ କରିପାରୁନି। ଏହା ପ୍ରଧାନମନ୍ତ୍ରୀଙ୍କ ଡବଲ ଇଞ୍ଜିନ ବୋଲି କି ବୋଲି ଭି.କେ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି।