Odisha Link
Bridging the Missing Links in Odisha

ମତଦାନ ବିଳମ୍ବରୁ ବୁଥରେ ଉତ୍ତେଜନା; ଅସୁସ୍ଥ ହୋଇପଡ଼ିଲେ ପ୍ରିଜାଇଡିଂ ଅଫିସର

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ସକାଳ ୭ଟା ବାଜିବା କ୍ଷଣି ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ଆଜି ରାଜ୍ୟର ୫ ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ମତଦାନ। ୭୯,୬୯,୮୮୭ଜଣ ମତଦାତା ସେମାନଙ୍କର ପସନ୍ଦ୍‌ର ନେତା ବାଛିବେ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।

ଏସବୁ ଭିତରେ ସୁନ୍ଦରଗଡ଼ ୨୧୧ନଂ ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇଥିବା ଜଣା ପଡିଛି। EVM ତ୍ରୁଟିକୁ ନେଇ ଗ୍ରାମବାସୀଙ୍କ ବିରୋଧ ବେଳେ ଅସୁସ୍ଥ ହେଲେ। ଅଚେତ ଅବସ୍ଥାରେ ମହିଳା ପ୍ରିଜାଇଡିଂ ଅଫିସର ମେଡିକାଲରେ ଭର୍ତ୍ତି କରାଯାଇଛି। ମତଦାନ ବିଳମ୍ବ ହେବାରୁ ବୁଥରେ ଉତ୍ତେଜନା ଦେଖାଦେଇଥିଲା।

ଅନ୍ୟପଟେ, ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬.୯୯ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୯.୮୬% ଭୋଟିଂ ହୋଇଥିବାବେଳେ ଗଂଜାମରେ ୭.୨୫%, କନ୍ଧମାଳରେ ୬.୭୭%, ନୟାଗଡ଼ରେ ୭.୨୫%, ସୋନପୁରରେ ୮.୦୦%, ସୁନ୍ଦରଗଡ଼ରେ ୫.୫୦%,ବରଗଡ଼ରେ ୯.୧୧%, ବୌଧରେ ୭.୯୮%, ଗଂଜାମରେ ୭.୨୫%, ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ହୋଇଛି।

ନିର୍ବାଚନ ମଇଦାନରେ ମୋଟ୍ ୪୦ଟି ଆସନ ପାଇଁ ୪୦ଜଣ ନେତା ବଛା ହେବାକୁ ଥିବାବେଳେ ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଥିବା ବେଳେ ୩୫ଟି ‌ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୨୦୧୯ରେ ବିଜେପି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଲୋକସଭା ଆସନ ଜିତିଥିବାବେଳେ ବିଜେଡି ଆସିକା ଓ କନ୍ଧମାଳ ଆସନ ଜିତିଥିଲା। ଏଥର ସେହି ଧାରା ବଜାୟ ରହିବ ନା କିଏ ବାଜି ମାରିନେବ। ସେହିପରି ୩୫ଟି ‌ବିଧାନସଭା ଆସନରୁ ବିଜେଡି ଏକାକୀ ୨୬ଟି ଆସନ ଜିତିଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନ ଜିତିଥିଲେ। ସିପିଆଇଏମ୍‌ ଗୋଟିଏ ଆସନ ଜିତିଥିଲେ।

Leave A Reply

Your email address will not be published.