ସପ୍ତମ ପର୍ଯ୍ୟାୟ ନିର୍ବାଚନ ପରେ ୪ଶହ ପାର୍ କରିବ ବିଜେପି: ଅମିତ ଶାହ
ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର। କାରଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି।
ଓଡ଼ିଶା ଦଖଲ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ ବିରୋଧୀଙ୍କୁ ଚକମା ଦେବାକୁ କରୁଛି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ଅଇଁଠାପାଲିରେ ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ସଭାରେ ଅମିତ ଶାହ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି।
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଆଜି ଶାନ୍ତି ମିଳୁଥିବ। ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି। ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି ଏବଂ ମୋଦି ୩ ଶହ ପାର୍ କରିଗଲେଣି। ସାତ ପର୍ଯ୍ୟାୟ ପରେ ୪ଶହ ପାର୍ ହୋଇଯାଇଥିବ। ଓଡ଼ିଶାକୁ କେବଳ ୪ ଶହ ପାର୍ ନୁହେଁ, ଏଠାରେ ବି ପଦ୍ମ ଫୁଟିବା ଦରକାର। ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଦରକାର ବୋଲି ଶ୍ରୀ ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।