ଭିଡିଓ ଜାରି କରି ଦଳୀୟ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଇ ଓଡ଼ିଶା। ମୁଖ୍ୟତଃ ବିଜେଡି-ବିଜେପି ନେତାଙ୍କ ରାଜନୈତିକ ବୟାନବାଜି ରାଜ୍ୟ ରାଜନୀତିର ପାରା ବଢ଼େଇ ଦେଇଛି। ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ପୁରୀ ସଂସଦୀୟ କ୍ଷେତ୍ର ଓ ଭୁବନେଶ୍ବର ସଂସଦୀୟ ନିର୍ବାଚନ ପାଇଁ ଭିଡିଓ ମାଧ୍ୟମରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟ। ସେ ପୁରୀ ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଅରୂପ ପଟ୍ଟନାୟକ ଜଣେ ସମାଜସେବୀ ଏବଂ ଭଲ ମଣିଷ। ସେ ନିଜ ସକ୍ଷମ ବଳରେ ବହୁତ କ୍ୟାନସର ରୋଗୀଙ୍କ ସେବା କରିଛନ୍ତି। ଆଜି ସେ ନିଜ ଜନ୍ମସ୍ଥାନ ପୁରୀକୁ ଲୋକଙ୍କ ସେବା କରିବାକୁ ଆସିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଭ୍କ ଆଶୀର୍ବାଦରେ ପୁରୀରେ ମେଟ୍ରୋ, ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭଳି ଆହୁରି ବି ବଡ଼ ପ୍ରୋଜେକ୍ଟ ଆଣି ପୁରୀକୁ ବିଶ୍ବସ୍ତରୀୟ ହେରିଟେଜ ସିଟି କରିବାର ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି କାମ କରିବେ ବୋଲି କହିଛନ୍ତି।
ସେ ଆହୁୁରି କହିଛନ୍ତି, ଆମ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିବାରେ ମୋତେ ସହଯୋଗ କରିବେ। ତେଣୁ ଅରୂପ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସେହିପରି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମ ଦଳର ପ୍ରାର୍ଥୀ ମନ୍ମଥ ରାଉତ ଜଣେ ସଫଳ ପାଇଲଟ୍ ଥିଲେ। ଆଜି ରାଜଧାନିବାସୀଙ୍କ ସେବା କରିବା ପାଇଁ ଭୁବନେଶ୍ବର ମାଟିକୁ ଫେରି ଆସିଛନ୍ତି। ଏବେ ରାଜନୀତିରେ ଯୁବପୀଢ଼ୀଙ୍କ ଯୋଗଦାନ ବହୁତ ବେଶୀ ରହିଛି। ମନ୍ମଥ ଏହି ଯୁବପୀଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେ ଆହୁରି କହିଛନ୍ତି, ଗତ ୫ ବର୍ଷରେ ବିଜେପିର ସାଂସଦ ଭୁବନେଶ୍ବରରେ କୌଣସି ବଡ଼ କାମ କରିନାହାନ୍ତି। ଏକାମ୍ର ପ୍ରକଳ୍ପକୁ ବାରମ୍ବାର ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ମନ୍ମଥ ଭୁବନେଶ୍ବର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି କାମ କରିବେ। ଭୁବନେଶ୍ବରକୁ ଓ୍ବାଲ୍ଡ କ୍ଲାସ୍ ସିଟି ଭାବରେ ଗଢ଼ିବାରେ ମୋତେ ସହଯୋଗ କରିବେ। ସେଥିପାଇଁ ମନ୍ମଥକୁ ଆଶୀର୍ବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।