ଆଜି ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧନମିତ ହେଲା ଜାତୀୟ ପତାକା
ଓଏଲ୍ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତ ସରକାର ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଅର୍ଧନମିତ ହେଲା ଜାତୀୟ ପତାକା। ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପତାକା ଅର୍ଧନମିତ। ଇରାନ ରାଷ୍ଟ୍ରପତିଙ୍କ ସମେତ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁରେ ଶୋକ ପାଳନ କରାଯାଇଛି।
ସୂଚନା ଅନୁସାରେ, ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଇରାନର ରାଷ୍ଟ୍ରପତି ଭବନରେ ଥିବା ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦିଆଯାଇଛି। ଏହାର କାରଣ କେବଳ ଶୋକର ସଙ୍କେତ ନୁହେଁ, ବରଂ ଏକ ବିଶେଷ ଧାର୍ମିକ କାରଣ ମଧ୍ୟ। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘୋଷଣା ପରେ ଇରାନର କ୍ୟାବିନେଟ୍ ଏକ ଜରୁରୀ କାଳୀନ ବୈଠକ ଡାକିଥିଲା ଏବଂ ଏହା ପରେ ସମବେଦନା ବାର୍ତ୍ତା ଦେଇ କହିଛି ଯେ ରାଇସି ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଏହି ରିପୋର୍ଟ ସହ ଏକ ଫଟୋ ଜାରି କରାଯାଇଛି, ଯେଉଁଥିରେ ରାଇସିଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଟେବୁଲ ଉପରେ ତାଙ୍କ ଫଟୋ ରଖାଯାଇଛି।