ଅପେକ୍ଷା କରିଥିଲେ ପ୍ରିଜାଇଡିଂ ଅଧିକାରୀ, ସନ୍ଧ୍ୟା ସୁଦ୍ଧା ପଡ଼ିଲା ମାତ୍ର ଖଣ୍ଡେ ଭୋଟ୍
ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି। ଦେଶରେ ମୋଟ୍ ୬୦. ୦୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସମେତ ଏହା ଅଧୀନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ଭୋଟ୍ ପଡ଼ିଛି। ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଓ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବାଦ୍ ଅନେକ ହାଇପ୍ରୋଫାଇଲ ନେତା ପରୀକ୍ଷା ଦେଇଛନ୍ତି। ଆସନ୍ତା ମାସ ଜୁନ୍ ୪ ତାରିଖରେ ମତଦାନର ଫଳାଫଳ ଆସିବ।
ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଭୋଟ ବର୍ଜନ ହୋଇଥିବା ଖବର ସାମ୍ନାକୁ ଆସିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ପାଣ୍ଡୁପଦର ଏବଂ ଖଜୁରୀପଡ଼ା ବ୍ଲକ୍ ବୁଥ୍ରେ ମୋଟ ୧୨ଟି ଗ୍ରାମର ବାସିନ୍ଦା ଭୋଟ୍ ବର୍ଜନ କରିଥିଲେ। ଗାଁକୁ ରାସ୍ତା ନିର୍ମାଣ, ସ୍କୁଲରେ ଶିକ୍ଷକ ପଦବି ପୂରଣ, ଗାଁକୁ ମୋବାଇଲ୍ ନେଟ୍ୱର୍କ, ପାନୀୟ ଜଳ ସମସ୍ୟାର ନିରାକରଣ, ଅଘୋଷିତ ବିଜୁଳି କାଟ ବନ୍ଦ କରିବା ଆଦି ଦାବିରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ୧୧ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବିଧାୟକ ଓ ସାଂସଦଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସମାଧାନ ହୋଇ ପାରିନାହିଁ ବୋଲି ପାଣ୍ଡୁପଦର ଗ୍ରାମ ମୁଖିଆ ଟିକେଶ୍ବର ମଲିକ କ୍ଷୋଭର ସହ କହିଥିଲେ। ଏଣୁ ଏହାର ପ୍ରତିବାଦରେ ୧୧ଟି ଗ୍ରାମର ଗ୍ରାମବାସୀ ଭୋଟ୍ ବର୍ଜନ କରିଥିଲେ। ‘ରାସ୍ତା ନାହିଁ ତ ଭୋଟ୍ ନାହିଁ’ ନାରା ଦେଇ ଏହିସବୁ ଗ୍ରାମର ଲୋକେ ଦିନ ତମାମ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପାଣ୍ଡୁପଦର (୮୮ ନମ୍ବର ବୁଥ୍)ର ପ୍ରିଜାଇଡିଂ ଅଧିକାରୀଙ୍କ କହିବା ଅନୁସାରେ, ଏହି ବୁଥ୍ରେ ମୋଟ ୬୬୭ ଭୋଟର ଥିବାବେଳେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମାତ୍ର ଜଣେ ମହିଳା ଭୋଟର ଭୋଟ୍ ଦେଇଥିଲେ। ବୁଥ୍ରେ ଗହଳିଚହଳି ଦେଖିବାକୁ ମିଳି ନଥିଲା। ଏଠାରେ ଜଣେ ମାତ୍ର ବୃଦ୍ଧା ଆସି ଭୋଟ୍ ଦେଇଥିଲେ। ସେହିଭଳି ଶିକ୍ଷାନୁଷ୍ଠାନର ବିକାଶ, ରାସ୍ତାଘାଟର ବିକାଶ ଏବଂ ପାନୀୟଜଳ ସମସ୍ୟାର ସମାଧାନ ଦାବିରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତର ଜକ୍ରେଜୁ ଗ୍ରାମବାସୀ ମଧ୍ୟ ଭୋଟ ବର୍ଜନ କରିଛନ୍ତି। ଉପରୋକ୍ତ ତିନିଦଫା ଦାବିନେଇ ପୂର୍ବରୁ ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ପ୍ରତିବାଦରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିଲେ।