ଚମ୍ପୁଆରେ ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ..

ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର କରିଛନ୍ତି।
ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ଼ ଓ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର। ଅନ୍ୟ ଦଳର ଏମପି ହେଲେ ବିକାଶ କାମରେ ବାଧା ଦେବେ। ଚାଲିଥିବା ବିକାଶ କାମକୁ ଅଟକାଇ ଦେବେ।
ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ସେମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜୁଳି ବିଲ୍ ଛାଡ, ମିଶନ ଶକ୍ତି ମାଆଙ୍କୁ ଭତ୍ତା ମିଳିବ ବୋଲି ପ୍ରତିଶୃତି ସହିତ ଷଷ୍ଠ ଥର ପାଇଁ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି ଦୃଢ଼ତାର ସହିତ ଭି.କେ ପାଣ୍ଡିଆନ କହିଛନ୍ତି।
ସାହରପଡ଼ାରେ ଭିକେ ପାଣ୍ଡିଆନଙ୍କ ପ୍ରଚାର କରି କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଆଦିବାସୀଙ୍କ ପାଇଁ ଏସଡିସି ଗଠନ ହୋଇଛି। ଆଦିବାସୀଙ୍କ ୫୦ହଜାର ମାମଲା ପ୍ରତ୍ୟାହାର ହୋଇଛି। ଓଡ଼ିଶାରେ ହଷ୍ଟେଲରେ ରହି ସର୍ବାଧିକ ଛାତ୍ରୀ ପଢ଼ୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି।
ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଅନ୍ୟ ଦଳର ନେତା ଭୋଟ୍ ମାଗିବେ, ହିସାବ ଦେବେନି। ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଦିଅନ୍ତି। ଲକ୍ଷ୍ମୀ ବସ୍ ନୂଆ ଓଡ଼ିଶାର ନମୁନା। ମହିଳାମାନଙ୍କ ପାଇଁ ବସ୍ ଯାତ୍ରା ମାତ୍ର ୫ଟଙ୍କା। ଅନ୍ୟ ଦଳର ନେତା ଭୋଟ୍ ପାଇଁ କାମ କରନ୍ତି। ଆପଣଙ୍କ ମୁଣ୍ଡରେ ଥିବା ବୋଝକୁ ମୁଖ୍ୟମନ୍ତ୍ରୀ ହାଲୁକା କରିବେ।