Odisha Link
Bridging the Missing Links in Odisha

‘ଆଉ ୩ ଦିନ ଅଛି ନିର୍ବାଚନ, ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ସମ୍ବିତ’

ଓଏଲ୍‌ ବ୍ୟୁରୋ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ବଡ଼ଦାଣ୍ଡରେ ବିଶାଳ ରୋଡ ଶୋ’ କରିଥିଲେ। ତାଙ୍କ ସାଥିରେ ବିଜେପିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଗଣମାଧ୍ୟମକୁ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ, ଯାହା କେବଳ ରାଜ୍ୟ ରାଜନୀତିକୁ ସରଗରମ କରିନି ବରଂ ପୁର ପଲ୍ଳୀରେ ଚର୍ଚ୍ଚା ହେଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ କହିଥିଲେ। ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିନ୍ଦା କରିଥିଲେ।

ଏହି ଘଟଣା ପରେ ନିଜ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ସହ କ୍ଷମାପ୍ରାର୍ଥନା କଲେ ସମ୍ବିତ ପାତ୍ର। ଜଗନ୍ନାଥଙ୍କ ସମ୍ପର୍କରେ ମନ୍ତବ୍ୟକୁ ନେଇ କ୍ଷମାପ୍ରାର୍ଥନା ସହ ପଶ୍ଚତାପ କରିଛନ୍ତି। ନିଜ ଭୁଲ ପାଇଁ ମହାପ୍ରଭୁଙ୍କ ପାଖରେ ଦଣ୍ଡବତ ହୋଇ କ୍ଷମା ମାଗୁଛି। ଭୁଲର ପଶ୍ଚତାପ ପାଇଁ ୩ ଦିନ ଉପବାସ କରିବେ ବୋଲି ସେ କହିଛନ୍ତି। ମିଡିଆରେ ଭୁଲବଶତଃ ମୋଦିଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ କରିଥିବା କହିଛନ୍ତି। ଜଗନ୍ନାଥଙ୍କ ଭକ୍ତ ମୋଦି କହିବା ବଦଳରେ ମୋଦିଙ୍କ ଭକ୍ତ ଜଗନ୍ନାଥ କହିଥିଲି। ଏନେଇ ସେ କ୍ଷମା ପ୍ରାର୍ଥନା କରିବା ସହ ରାଜନୈତିକ ଚର୍ଚା ବନ୍ଦ କରିବାକୁ ନିବେଦନ କରିଛନ୍ତି।

ଏହି ଘଟଣାକୁ ନେଇ ବିଜେପିର ପୁରୀ ସାଂସଦ ପ୍ରାର୍ଥୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ବିଜେପି ସବୁବେଳେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଆସୁଛି। ପ୍ରଭୁ ଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ। ମୁଖ୍ଯମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିଆସିଛନ୍ତି। ଭଗବାନ ଅମର ଓ ମଣିଷ ମରଣଶୀଳ ଏମାନଙ୍କର ମିଶ୍ରଣ ହୋଇପାରିବନି ବୋଲି କହିଛନ୍ତି। ସମ୍ବିତ ପାତ୍ରଙ୍କ ମନ୍ତବ୍ଯକୁ ନେଇ ମୁଖ୍ଯମନ୍ତ୍ରୀ ମର୍ମାହତ। ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିକୁ ଟାଣିବା ନେଇ ମୁଖ୍ଯମନ୍ତ୍ରୀ ବେଶ ଦୁଃଖିତ ବୋଲି କହିଛନ୍ତି ପାଣ୍ଡିଆନ।

ଓଡିଶାବାସୀ ମଧ୍ୟ ଜଗନ୍ନାଥଙ୍କୁ ନିର୍ବାଚନକୁ ଟାଣିବାକୁ ପସନ୍ଦ କରନ୍ତିନି। ଏମିତି ଘଟଣା ବିଜେପି ପକ୍ଷରୁ ପ୍ରଥମ ଘଟଣା ନୁହେଁ। ୨୦୧୯ ପଞ୍ଚାୟତ ନିର୍ବାଚନରେ ଏପରି କିଛି ପ୍ରସଙ୍ଗ ଉଠାଇଥିଲେ ବିଜେପି ନେତା। ଏପରି ବିବାଦୀୟ ମନ୍ତବ୍ୟ ଦେଇ ରାଜନୀତି କରିଆସୁଛି ବିଜେପି। ଏପରି ପ୍ରସଙ୍ଗ ଉଠାଇ ବିଜେପି ବିଜେଡି ଓ ମୁଖ୍ଯମନ୍ତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରିଆସୁଛି। ଏହା ବିଜେପିର ରାଜନୈତିକ ରଣନୀତି ରହିଆସିଛି ବୋଲି କହି ସମାଲୋଚନା କରିଛନ୍ତି।

ଏହା ସହ ସମ୍ବିତ ପାତ୍ର ଉପବାସ କରିବା ଘଟଣାକୁ ନେଇ ଭି.କେ ପାଣ୍ଡିଆନ କହିଛନ୍ତି, ସମ୍ବିତ ପାତ୍ର ନିଜର ଯତ୍ନ ନିଅନ୍ତୁ। ନିର୍ବାଚନର ପୂର୍ବରୁ ଉପବାସ କରି ବେହୋସ ନହୋଇ ଯାଆନ୍ତୁ। କୌଣସି ବ୍ୟକ୍ତିଙ୍କ ଭକ୍ତ ଜଗନ୍ନାଥ କହିବା ଗ୍ରହଣୀୟ ନୁହେଁ।ମହାପ୍ରଭୁଙ୍କୁ ରାଜନୀତିକୁ ଟାଣିବା ଉଚିତ ନୁହେଁ। ଓଡ଼ିଆଙ୍କ ଭାବାବେଗକୁ ଆଘାତ ହୋଇଛି ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।

ଅନ୍ୟପଟେ ସମାଲୋଚନାର ଶିକାର ହୋଇଥିବା ସମ୍ବିତ ପାତ୍ର କ୍ଷମା ମାଗିଛନ୍ତି। ସମ୍ବିତ ପାତ୍ର ଏକ୍ସରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ପୁରୀ ଆଗମନ ଅବସରରେ ପୁରୀ ବଡଦାଣ୍ଡରେ ଜନଗହଳିରେ ଅନେକ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା କରିଥିଲି। ଏହି ଜନସମୁଦ୍ର ମଧ୍ୟରେ ଜଣେ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା ସମୟରେ “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦି” ବଦଳରେ ଭୁଲରେ ମୋଦିଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଯାଇଥିଲା। ସ୍ୱାଭାବିକ ଭାବେ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଙ୍କ ଭକ୍ତ। ବଡ ଠାକୁର ଶ୍ରୀ ଜଗନ୍ନାଥ ଆମ ମୁରବୀ। ଏହି ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ ହେବ।

Leave A Reply

Your email address will not be published.