ଭୁବନେଶ୍ୱରରେ ପହଞ୍ଚିଲେ ଅରୁଣ ଗୋଭିଲ, ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି।ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର। କାରଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି।
ଓଡ଼ିଶା ଦଖଲ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ ବିରୋଧୀଙ୍କୁ ଚକମା ଦେବାକୁ କରୁଛି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଆଜି ଓଡିଶା ଆସିଛନ୍ତି ରାମାୟଣ ସିରିଏଲର ‘ରାମ’ ଅରୁଣ ଗୋଭିଲ। ୪ଟି ସ୍ଥାନରେ କରିବେ ପ୍ରଚାର। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର। ଏହା ସହ ୨୩ରେ ଆସିବେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ। କରଞ୍ଜିଆ, ଧାମଗନର, ବଡଚଣା, ବାଲିକୁଦାରେ ସଭା କରିବେ ନଡ୍ଡା। ଏହାସହ ଚିଲିକା ଓ ସାଲେପୁରରେ ଜନସଭାରେ ଯୋଗୀ ଆଦିତ୍ୟନାଥ ଯୋଗ ଦେବେ।