Odisha Link
Bridging the Missing Links in Odisha

କେତୋଟି ଆସନରେ ଜିତିବ ବିଜେପି? ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ଉପରେ ଯୋଗେନ୍ଦ୍ରଙ୍କ ପ୍ରତିକ୍ରିୟା

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନର ୫ଟି ଚରଣ ନିର୍ବାଚନ ଶେଷ ହୋଇ ସାରିଥିବା ବେଳେ ଆଉ ୨ଟି ଚରଣ ନିର୍ବାଚନ ବାକି ରହିଛି। ନିର୍ବାଚନ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି କେତୋଟି ଆସନରେ ବିଜୟୀ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଓ ରାଜନୈତିକ ସମୀକ୍ଷକ ଯୋଗେନ୍ଦ୍ର ଯାଦବ ଭବିଷ୍ୟବାଣୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବକି ବାର ୪୦୦ ପାର ନାରା ଦେଉଥିବା ବେଳେ ଏହା ଅସମ୍ଭବ ବୋଲି ପ୍ରଶାନ୍ତ କିଶୋର ଓ ଯୋଗେନ୍ଦ୍ର ଯାଦବ କହିଛନ୍ତି।

ପ୍ରଶାନ୍ତ କିଶୋର ଏକ ସାକ୍ଷାତକାରରେ କହିଛନ୍ତି, ମୋଦିଙ୍କ ନେତୃତ୍ବରେ ପୁଣିଥରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିବ। ହେଲେ ଚଳିତ ନିର୍ବାଚନରେ ବିଜେପି ନିଜ ଦମରେ ୩୭୦ ସିଟ୍ ଜିତିବା ଅସମ୍ଭବ। ଭାରତୀୟ ଜନତା ପାର୍ଟି ୩ ଶହ ପାଖାପାଖି ସିଟ୍ ଜିତିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ନରେନ୍ଦ୍ର ମୋଦି କେବଳ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇବା ପାଇଁ ୪୦୦ ପାର ନାରା ଦେଉଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଜେପି ୨୭୦ରୁ କମ୍ ସିଟ୍ ଜିତିବନି। ଗତ ନିର୍ବାଚନ ଭଳି ଏଥର ମଧ୍ୟ ଏନଡିଏ ୩୦୩ ପାଖାପାଖି ସିଟ୍ ଜିତିବ। ଖାସ୍ କରି ବିଜେପି ଉତ୍ତର ଏବଂ ପଶ୍ଚିମ କ୍ଷେତ୍ରରେ କ୍ଷତି ସହିବ। ଦକ୍ଷିଣ ଏବଂ ପୂର୍ବ କ୍ଷେତ୍ରରେ ବିଜେପିକୁ ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ବିହାର, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ବିଜେପିର ସିଟ୍ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜନୈତିକ ସମୀକ୍ଷକ ଯୋଗେନ୍ଦ୍ର ଯାଦବ ପ୍ରଶାନ୍ତି କିଶୋରଙ୍କ କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଚଳିତ ନିର୍ବାଚନରେ ବିଜେପିକୁ ୨୭୨ ସିଟ୍‌ ମିଳିବ ନା ନାହିଁ ତାହା ସନ୍ଦେହ। ପ୍ରଶାନ୍ତ କିଶୋର ତାଙ୍କ ରାଜନୈତିକ ଗଣିତରୁ ଏଭଳି କହୁଛନ୍ତି। ସେ କହୁଛନ୍ତି କି ରାମ ମନ୍ଦିର ଏକ ପ୍ରସଙ୍ଗ ନୁହେଁ। ମୋଦିଙ୍କ ଛବି ଧିରେ ଧିରେ ମଳିନ ପଡ଼ୁଛି। ଏସବୁ କହିବା ପରେ ବି ସେ କିଭଳି ଏନଡିଏ ୩୦୦ ପାର କରିବ ବୋଲି କହୁଛନ୍ତି ବୋଲି ଯୋଗେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି ପ୍ରଶାନ୍ତଙ୍କ କଥାରେ ମୁଁ ସହମତ ନୁହେଁ।

ଚଳିତ ନିର୍ବାଚନରେ କିଛି ରାଜ୍ୟରେ ବିଜେପି କ୍ଷତି ସହିବ ନିଶ୍ଚୟ। ବିଶେଷକରି ବିହାରରେ ବିଜେପିକୁ କ୍ଷତି ହେବ। ଅତିକମ୍‌ରେ ୧୫ରୁ ଅଧିକ ଆସନରେ ହାରିବ ବୋଲି କହିଛନ୍ତି ଯୋଗେନ୍ଦ୍ର। ପଶ୍ଚିମବଙ୍ଗରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ତେଲେଙ୍ଗାନାରେ ଚଳିତ ନିର୍ବାଚନରେ ବିଆରଏସ୍‌ ଥଣ୍ଡା ପଡ଼ିଯାଇଛି। ଚଳିତ ନିର୍ବାଚନରେ ବିଜେପିକୁ ବହୁତ ଆସନରେ ବହୁମତ ମିଳିବ ନାହିଁ।

Leave A Reply

Your email address will not be published.