Odisha Link
Bridging the Missing Links in Odisha

କିଏ ଏହି ଭାରତୀୟ? ଯିଏକି ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ରଖିଲେ ପାଦ

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ଗୋପୀ ଥୋଟାକୁରା। ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ରଖିଲେ ପାଦ। ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ (୧୯୮୪), ଗୋପୀ ହେଉଛନ୍ତି ପ୍ରଥମ ଭାରତୀୟ ଯେ, କି ମହାକାଶରେ ପାଦ ଥାପିଛନ୍ତି। ରବିବାର ମହାକାଶ ଭ୍ରମଣରେ ଯାଇଥିଲେ ୬ ଜଣ ସ୍ପେଶ ଟୁରିଷ୍ଟ। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ଜନ୍ମିତ ଗୋପୀ ଥୋଟାକୁରା। ଗୋପୀ ପେସାରେ ଜଣେ ବାଣିଜ୍ୟିକ ପାଇଲଟ୍। ଆମେରିକାରେ ରହୁଥିବା ଗୋପୀ ଥୋଟାକୁରା ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ ଭାବେ ଇତିହାସ ରଚିଛନ୍ତି ।

ମହାକାଶ ପର୍ଯ୍ୟଟନ ସେବା ଯୋଗାଉଥିବା ଆମେରିକାର ଘରୋଇ କମ୍ପାନୀ‘ବ୍ଲୁ ଅରିଜିନ୍’ର ମହାକାଶଯାନରେ ପଶ୍ଚିମ ଟେକ୍ସାଲ ଲଞ୍ଚପ୍ୟାଡରୁ ଉଡାଣ ଭରିଥିଲେ ଗୋପୀଙ୍କ ସହ ୬ ଜଣ ପର୍ଯ୍ୟଟକ। ଯେଉଁମାନେ ମହାକାଶରେ କିଛି ସମୟ ବିତାଇ ପୁଣି ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତି। ଏହା ଥିଲା ‘ବ୍ଲୁ ଅରିଜିନ’ର ସପ୍ତମ ହ୍ୟୁମାନ୍‌ ଫ୍ଲାଇଟ୍‌। ଉଡ଼ାଣଠାରୁ ଅବତରଣ ଯାଏ ସମଗ୍ର ଯାତ୍ରା ମାତ୍ର ୧୦ ମିନିଟର ଥିଲା। ଏହି ସମୟ ମଧ୍ୟରେ ମହାକାଶଯାନ ପୃଥିବୀଠାରୁ ପ୍ରାୟ ୧୦୫ କିଲୋମିଟର ଉଚ୍ଚତା ହାସଲ କରିଥିଲା। ଏହା ମହାକାଶକୁ ସବୁଠାରୁ ସ୍ବଳ୍ପ ଅବଧି ଓ ଶୀଘ୍ର ଯାତ୍ରା ମଧ୍ୟରୁ ଗୋଟିଏ। ସ୍ବଳ୍ପ ସମୟ ପାଇଁ ହେଉ ପଛେ, ଏହି ଯାତ୍ରା ଥିଲା ଖୁବ ରୋମାଞ୍ଚଭରା। ମହାକାଶଯାନରେ ସବାର ହୋଇଥିବା ଯାତ୍ରୀମାନେ କିଛି ମିନିଟ୍ ପାଇଁ ଓଜନହୀନତା (ZERO GRAVITY) ଅନୁଭବ କରିଥିଲେ।

ସବୁଠୁ ବଡ଼ କଥା ହେଉଛି, ‘ବ୍ଲୁ ଅରିଜିନ୍’ର ମହାକାଶଯାନରେ ଯାତ୍ରା କରିଥିବା ୬ ଜଣ ପର୍ଯ୍ୟଟକଙ୍କ ମଧ୍ୟରେ ଜଣେ ୯୦ ବର୍ଷ ବୟସ୍କ ଆମେରିକୀୟ, ଇଡି ଡିୱିଟ୍ ଅଛନ୍ତି । ଯିଏ କି ଆମେରିକା ବାୟୁସେନାର ଜଣେ ପୂର୍ବତନ କ୍ୟାପଟେନ୍। ଇଡି ଡିୱିଟ୍‌ ହେଉଛନ୍ତି, ପ୍ରଥମ କୃଷ୍ଣକାୟ ମହାକାଶଚାରୀ ଯିଏ ୧୯୬୧ ମସିହାରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜନ୍ ଏଫ. କେନେଡିଙ୍କ ଦ୍ବାରା ମହାକାଶ ଯାତ୍ରା ପାଇଁ ମନୋନୀତ ହୋଇଥିଲେ। କିନ୍ତୁ କେବେ ସେ ମହାକାଶକୁ ଯାତ୍ରା କରିପାରିନଥିଲେ। ଦୀର୍ଘଦିନ ପରେ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇଛି। ଅନ୍ୟ ୪ ମହାକାଶ ପର୍ଯ୍ୟଟକମାନେ ହେଲେ ମାସନ୍‌ ଆଞ୍ଜେଲ, ସାଲଭେନ୍ ଚିରୋନ, କେନ୍‌ନେଥ ଏଲ୍‌. ହେସ୍‌ ଓ କାରୋଲ ସ୍କଲାର। ତେବେ ଏହି ମହାକାଶ ସଫଳତା ପରେ ବିଭିନ୍ନ ମହଲରୁ ଗୋପୀ ଥୋଟାକୁରାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.