ଆଜି ବିଭିନ୍ନ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର। କାରଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି।
ଓଡ଼ିଶା ଦଖଲ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ ବିରୋଧୀଙ୍କୁ ଚକମା ଦେବାକୁ କରୁଛି ସ୍ବତନ୍ତ୍ର ରଣନୀତି। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକରେ ପ୍ରଚାର କରିବେ।
ପ୍ରଥମେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବ। ସେଠୁ ପୁରୀ ତାଳବଣିଆ, ପରେ କଟକ ଅଭିମୁଖେ ଯାଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।