ନୂଆ ଓଡ଼ିଶା ଗଠନରେ ମଧ୍ୟବିତ୍ତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ପାଣ୍ଡିଆନ

ଓଏଲ୍ ବ୍ୟୁରୋ: ଆଉ ୨ ଦିନ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟ ଉପରେ ସମସ୍ତ ରାଜନୈତିକ ଦଳର ନଜର। କାରଣ ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ଆସନ ଗୁଡ଼ିକରେ ନିର୍ବାଚନ ହେବ। ଯାହା ରାଜ୍ୟ ରାଜନୀତିର ହଟସ୍ପଟ ବୋଲି ବିବେଚନା କରାଯାଏ। ସରକାର କିଏ ଗଢ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଏସବୁ ମଧ୍ୟରେ ବିଜୁ ଜନତା ଦଳର ଇସ୍ତାହାର ପତ୍ରକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡିର ପୋଷ୍ଟର ବୟ ତଥା ବରିଷ୍ଠ ନେତା ଭି କାର୍ତ୍ତିକ ପାଣ୍ଡିଆନ।
ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି, ରାଜ୍ୟର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବିଜୁ ଜନତା ଦଳ ୫ଟି ବଡ଼ ଘୋଷଣା କରିଛି। ସହର ହେଉ ବା ଗ୍ରାମାଞ୍ଚଳରେ ରହୁଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମିଳିବ ବିଏସ୍କେଓ୍ବାଇ ନବୀନ କାର୍ଡ। ସ୍ବାସ୍ଥ୍ୟ, ଶିକ୍ଷା, ଗୃହ ଓ ପରିବହନ କ୍ଷେତ୍ରରେ ମଧ୍ୟ ମିଳିବ ସୁବିଧା। ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିଜେଡି ଇସ୍ତାହାରରେ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପୂରଣ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ।
ସେ ଆହୁରି କହିଛନ୍ତି, ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଆଗକୁ ମଧ୍ୟ ଆହୁରି ନିଆଯିବ। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ ବିଏସ୍କେଓ୍ବାଇ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଟଙ୍କା ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢ଼ା ପାଇଁ ଶିକ୍ଷା ଋଣ ଉପରେ ବି ସୁଧ ରିହାତି ମିଳିବ ବୋଲି ସେ କହିଛନ୍ତି।
ମଧ୍ୟବିତ୍ତ ଆଗକୁ ବଢ଼ିଲେ ସର୍ଭିସ୍ ସେକ୍ଟର ଆଗକୁ ବଢ଼ିବ। ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ମଧ୍ୟବିତ୍ତ ଆଗକୁ ବଢ଼ିଲେ ରାଜ୍ୟର ଅର୍ଥନୈତିକ ବିକାଶ ହେବ। ଏଥିପାଇଁ ମଧ୍ୟବିତ୍ତଙ୍କ ପାଇଁ ଏଭଳି ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ।