ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: କୋଟିପତି ତାଲିକାରେ ୧୨୧ଜଣ ପ୍ରାର୍ଥୀ

ଓଏଲ୍ ବ୍ୟୁରୋ: ଜୁନ ୧ ତାରିଖରେ ଓଡ଼ିଶାରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଏଥିପାଇଁ ସାରା ରାଜ୍ୟରେ ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍ ପ୍ରଚାର ଜାରି ରହିଛି। ଏସବୁ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଯାହା ଏବେ ଚର୍ଚ୍ଚାରେ। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରହିଛନ୍ତି ୩୪୯ପ୍ରାର୍ଥୀ। ଏମାନଙ୍କ ମଧ୍ୟରୁ ୮୮ଜଣଙ୍କ ନାରେ ରହିଛି ଜଘନ୍ୟ ଅପରାଧିକ ମାମଲା। ୧୭ଜଣ ପ୍ରାର୍ଥୀଙ୍କ ନାରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ୨ଜଣଙ୍କ ନାରେ ଦୁଷ୍କର୍ମ ମାମଲା ରହିଛି। ସେହିପରି ୩୯୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି।
ବିଜେଡିର ବସ୍ତା ପ୍ରାର୍ଥୀ ଶୁଭାସିନୀ ଜେନା ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ତାଙ୍କର ୧୩୫କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି। ସେହିପରି ମୟୁରଭଞ୍ଜ ଉଦଳାର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ମହାପାତ୍ରଙ୍କ ପାଖରେ ରହିଛି ମାତ୍ର ୬୪୫ଟଙ୍କା। ତେବେ ବିଜୁ ଜନତା ଦଳରେ ସବୁଠାରୁ ଅଧିକ କୋଟିପତି ପ୍ରାର୍ଥୀ ରହିଛନ୍ତି। ୩୭ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି ବିଜେଡିର। ବିଜେପିର ୩୦ଜଣ କୋଟିପତି ପ୍ରାର୍ଥୀ ଥିବା ବେଳେ କଂଗ୍ରେସର ୨୧ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ବୟସ୍କ ପ୍ରାର୍ଥୀ ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ। ୮୧ ବର୍ଷ ବୟସରେ ନିର୍ବାଚନ ଲଢୁଛନ୍ତି ନିରଞ୍ଜନ ପଟ୍ଟନାୟକ।
ସେହିଭଳି ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ୩୯୪ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୬ ଜଣ ଡକ୍ଟର ସମ୍ମାନ ହାସଲ କରିଛନ୍ତି। ସ୍ନାତକୋତ୍ତର ବର୍ଗରେ ରହିଛନ୍ତି ୬୮ ଜଣ ପ୍ରାର୍ଥୀ, ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ୯୨ ଜଣ ପ୍ରାର୍ଥୀ, ଯୁକ୍ତ ଦୁଇ ତାଲିକାରେ ରହିଛନ୍ତି ୫୩ ଜଣ ଏବଂ ମାଟ୍ରିକ ପାସ କରିଛନ୍ତି ୬୮ ଜଣ ପ୍ରାର୍ଥୀ। ତେବେ ୫ମ ଶ୍ରେଣୀ ପରଜ୍ୟାଣ୍ଟ ପାଠ ପଢ଼ିଛନ୍ତି ୯ ପ୍ରାର୍ଥୀ ଏବଂ ୮ମ ଶ୍ରେଣୀ ଯାଏଁ ୧୯ ପ୍ରାର୍ଥୀ ପାଠ ପଢ଼ିଛନ୍ତି।