ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଆଜିଠୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଓଏଲ୍ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ହେଉଛି ଲଘୁଚାପ କ୍ଷେତ୍ର। ଲଘୁଚାପ ପ୍ରଭାବ ଓଡ଼ିଶାର ସମୁଦ୍ର କୁଳିଆ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଲଘୁଚାପ ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି। ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ। ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ। ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ନେଇ ଏକ୍ସ ଜରିଆରେ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହାର ପ୍ରଭାବ ଓଡ଼ିଶା ଉପରେ ରହିବନି ବୋଲି ପୂର୍ବରୁ ସୂଚନା ରହିଥିଲା।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି ଅବପାତର ରୂପ ନେଇପାରେ ଲଘୁଚାପ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିବାବେଳେ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀ ଆଜି ସୁଦ୍ଧା କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଓ ୨୫ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି।