Odisha Link
Bridging the Missing Links in Odisha

ଦେଶବାସୀ କହୁଛନ୍ତି, ଯିଏ ରାମକୁ ଆଣିଛନ୍ତି ଆମେ ତାଙ୍କୁ ଆଣିବୁ: ଯୋଗୀ ଆଦିତ୍ୟନାଥ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍‌ ନେତା। ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।

ଏହି କ୍ରମରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା। ଗୋଟିଏ ଦିନରେ ଓଡ଼ିଶା ଆସିଛନ୍ତି ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା, ହିମନ୍ତ ବିଶ୍ବଶର୍ମା। ଓଡ଼ିଶା ଗସ୍ତରେ ଆସି ଚିଲିକା ବାଣପୁର ପରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆରେରେ ଯୋଗୀ ଆଦିତ୍ୟନାଥ ବକ୍ତବ୍ୟ ଦେଇଛନ୍ତି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ବକ୍ତବ୍ୟ ଆରମ୍ଭ କଲେ। ସେ କହିଛନ୍ତି, ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ। ଏଠାରେ ଡବଲ ଇଂଜିନ ସରକାର ହେବ। ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ। ଉତ୍ତର ପ୍ରଦେଶର ବୁଲ୍‌ ଡୋଜର ପରି ଏଠାରେ ସାବାଡ଼ କରାଯିବ।

ମୋଦିଙ୍କ ନେତୃତ୍ୱରେ ଦେଶରେ ବିକାଶ ପର୍ବ ଆରମ୍ଭ ହୋଇଛି। ବିକାଶମୂଳକ କାମର ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ୱାନ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ। ମୋଦି ଦେଶର ୬୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି। କିନ୍ତୁ ନବୀନ ସରକାର ଏହାକୁ ଓଡ଼ିଶାରେ ଲାଗୁ କରୁନାହିଁ। ଭାରତରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି, କିନ୍ତୁ ପାକିସ୍ତାନରେ ୨୩ କୋଟି ଲୋକ ଭୋକରେ ଛଟପଟ ହେଉଛନ୍ତି।

ନବୀନ ସରକାରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ହଜିଯାଉଛି। ମହାପ୍ରଭୁଙ୍କ ରତ୍ନକୁ ବି ଲୁଟିବାକୁ ମସୁଧା ଚାଲିଛି। ଦେଶରେ ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଦେଶର ୧୨ଟି ରାଜ୍ୟ ବୁଲି ସାରିଲିଣି, ସବୁଠି ଗୋଟିଏ ସ୍ୱର ଶୁଭୁଛି ପୁଣିଥରେ ମୋଦି ସରକାର, ଅବ କି ବାର ୪୦୦ ପାର। ୪୦୦ ପାର କଥା ଶୁଣି ବିଜେଡିର ମୁଣ୍ଡ ଘୂରାଉଛି। ବିଜେଡି କେବେ କେନ୍ଦ୍ରରେ ସରକାର ଗଢିପାରିବ କି? ପୂରା ଦେଶବାସୀ କହୁଛନ୍ତି, ଯିଏ ରାମକୁ ଆଣିଛନ୍ତି ଆମେ ତାଙ୍କୁ ଆଣିବୁ।

ଓଡ଼ିଶାରେ ବିଜେଡି ସରକାରକୁ ବାବୁ ମାନେ ଘେରି ରହିଛନ୍ତି। ଯେଉଁଠି ବାବୁ ମାନେ ସରକାରକୁ ଘେରିଥାନ୍ତି ସେଠାରେ ଏକଛତ୍ରବାଦ ଜନ୍ମ ନେଇଥାଏ। ସେଭଳି ସରକାରର ଜନତାଙ୍କ ସହ କୌଣସି ସମ୍ପର୍କ ନଥାଏ। ସେଭଳି ସରକାରରେ ଭୟଙ୍କର ଦୁର୍ନୀତି ହେବା ସହ ଗରିବଙ୍କ ହକକୁ ଲୁଟି ନିଆଯାଇଥାଏ। ଏଭଳି ବାବୁ ମାନଙ୍କୁ ସେତେ କ୍ଷମତା ଦେବା ଉଚିତ ନୁହେଁ ଯେଉଁଥିପାଇଁ ସେମାନେ ସରକାରକୁ ନିୟନ୍ତ୍ରଣ କରିବେ। ସରକାର ଚଳାଇବା ପାଇଁ ଜନପ୍ରତିନିଧି ଅଛନ୍ତି। ଏହାଦ୍ୱାରା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଚାଲିପାରିବ।

ବାବୁ ମାନଙ୍କ ଦ୍ୱାରା ଘେରି ହୋଇଥିବା ଏ ସରକାର ଓଡ଼ିଶାର ପରମ୍ପରା, ସଂସ୍କୃତିକୁ ନଷ୍ଟ କରୁଛନ୍ତି। ଓଡ଼ିଆ ପରମ୍ପରାକୁ ଅପମାନିତ କରୁଛନ୍ତି। ଧାର୍ମିକ ଆଧାରରେ ଭାରତୀୟ ସମ୍ବିଧାନର ବିପରୀତ। ତୁଷ୍ଟିକରଣ ରାଜନୀତି କରୁଛି ବିଜେଡି। ଅନୁସୂଚିତ ଜାତି/ଜନଜାତିଙ୍କ ସଂରକ୍ଷଣକୁ ଏମାନେ ନଷ୍ଟ କରିବାକୁ ଚାହୁଁଛନ୍ତି। କଂଗ୍ରେସର ନିର୍ବାଚନୀ ଇସ୍ତାହାର ମୁସଲିମ ଲିଗର ନିର୍ବାଚନୀ ଇସ୍ତାହାର ଭଳି ଲାଗୁଛି। ଏମାନଙ୍କୁ ସୁଯୋଗ ଦେଲେ ଦେଶରେ ଅରାଜକତା ବୃଦ୍ଧି ପାଇବ। ମୋଦିଙ୍କୁ ନେଇ ଯେଉଁ ଲହର ଅଛି ତାହା ସୁନାମୀରେ ପରିବର୍ତ୍ତନ ହୋଇସାରିଲାଣି। ତେଣୁ ଜୁନ୍ ୪ରେ ଏହି ସୁନାମୀ ୪୦୦ ପାର କରିବ।

Leave A Reply

Your email address will not be published.