ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ମନସ୍ଥ କରିଛନ୍ତି ଲୋକେ: ଜେପି ନଡ୍ଡା
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍ ନେତା। ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।
ଏହି କ୍ରମରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା। ଗୋଟିଏ ଦିନରେ ଓଡ଼ିଶା ଆସିଛନ୍ତି ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା, ହିମନ୍ତ ବିଶ୍ବଶର୍ମା। ଓଡ଼ିଶା ଗସ୍ତରେ ଆସି କରଞ୍ଜିଆରେ ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ରାଜ୍ୟରେ ବିଜେପି ସରକାର ପାଇଁ ଲୋକ ମନସ୍ଥ କରିଛନ୍ତି। ବିକାଶବାଦର ରାଜନୀତିକୁ ଆଗକୁ ବଢ଼ାଇଛନ୍ତି ମୋଦି। ଏଥର ସଫା ଦିଶୁଛି ଓଡ଼ିଶାରେ ବିଜେପି ୨୧ରୁ ୨୧ ଜିତିବ। ଏଥର ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଲୋକ ମନସ୍ଥ କରିସାରିଛନ୍ତି ବୋଲି ଜେପି ନଡ୍ଡା କହିଛନ୍ତି।