ପ୍ରଚାରର ଶେଷ ଦିନରେ ଖୋର୍ଦ୍ଧା ରାଜନୀତି ସରଗରମ: ଅପରାଜିତା-ପ୍ରଶାନ୍ତଙ୍କ ପାଇଁ ପ୍ରଚାର କଲେ ଜିତୁ ମିତ୍ର

ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଆଜି ହେଉଛି ପ୍ରଚାରର ଶେଷ ଦିନ। ଆଉ ଏଥି ମଧ୍ୟରେ ଶାସନ ବିଜୁ ଜନତା ଦଳକୁ ଲାଗିଛି ବଡ଼ ଝଟକା। ଖୋର୍ଦ୍ଧାର ବିଧାୟକ ଜିତୁ ମିତ୍ର ଆଜି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ବିରାଟ ରୋଡ୍ ଶୋ’ରେ ସେ ସାମିଲ୍ ହୋଇ ଅପରାଜିତା ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ୍ ମାଗିଛନ୍ତି। ତେବେ ପ୍ରଚାରର ଶେଷଦିନରେ ଜିତୁଙ୍କ ନିଷ୍ପତ୍ତି ଖୋର୍ଦ୍ଧା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।
ଖୋର୍ଦ୍ଧାରେ ଜିତୁ ଥରେ ସ୍ୱାଧୀନ ଓ ଦୁଇଥର ବିଜେଡ଼ିରୁ ବିଧାୟକ ହୋଇଛନ୍ତି । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ରହି ଆସିଥିଲା। ଏକଦା ଜିତୁ ଓ ରାଜେନ୍ଦ୍ର ଗୁରୁ ଶିଷ୍ୟ ଥିଲେ ମଧ୍ୟ ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା। ବହୁଦିନ ଧରି ଜିତୁ ନୀରବ ରହିବା ସହ ଗଣେଶଙ୍କୁ ଭିତିରିଆ ସମର୍ଥନ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଦଳ ଛାଡ଼ିନଥିବାରୁ ସବୁକିଛି ସସପେନ୍ସ ରହିଥିଲା। ଶେଷ ମୁହୂର୍ତ୍ତରେ ଜିତୁଙ୍କ ନିଷ୍ପତ୍ତି ଅପରାଜିତା ଓ ପ୍ରଶାନ୍ତଙ୍କ ଶିବିରକୁ ଉତ୍ସାହିତ କରିଥିବାବେଳେ ରାଜେନ୍ଦ୍ରଙ୍କ ଶିବିରକୁ ଚକିତ କରିଦେଇଛି।